Report Card Odisha

| Daily Odia News

ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ରଖିଲେ ବାର୍ତ୍ତା……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ । ୧୯୪୭, ଅଗଷ୍ଟ ୧୫ ତାରିଖରେ ଆମେ ବ୍ରିଟିଶ ଶାସନ କବଳରୁ ମୁକ୍ତ ହୋଇଥିଲୁ । ୧୯୫୦ ମସିହା, ଜାନୁଆରୀ ଆଜିର ଦିନ ଭାରତରେ ସମ୍ବିଧାନ ଲାଗୁ ହୋଇଥିଲା । ଏହା ଅନ୍ତର୍ଗତ ଭାରତକୁ ଏକ ଗଣତାନ୍ତ୍ରିକ ଦେଶ ଭାବେ ଘୋଷଣା କରାଗଲା । ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ ୧୯୫୦ ମସିହା, ଆଜିର ଦିନ ୨୧ ତୋପର ସଲାମି ସହିତ ଜାତୀୟ ପତାକା ଉଡ଼ାଇ ଭାରତକୁ ପୂର୍ଣ୍ଣ ଗଣତନ୍ତ୍ରିକ ରାଷ୍ଟ୍ର ଘୋଷଣା କଲେ । ଏହି ସ୍ମୃତିରେ ପ୍ରତି ବର୍ଷ ଜାନୁଆରୀ ୨୬ ତାରିଖକୁ ଗଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ଏହି ଦିନ ଦେଶର ପ୍ରଥମ ନାଗରିକ ଅର୍ଥାତ ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପତାକା ଉତ୍ତୋଳନ କରନ୍ତି । ଦେଶ ସ୍ୱାଧୀନ ହେବା ପରେ ଭାରତୀୟ ସମ୍ବିଧାନ ଗଠନ ହୋଇଥିଲା । ବାବା ସାହେବ ଆମ୍ବେଦକରଙ୍କୁ ସମ୍ବିଧାନ ନିର୍ମାତା କୁହାଯାଏ । କିନ୍ତୁ ତାଙ୍କ ସମେତ ସମ୍ବିଧାନ ନିର୍ମାଣରେ ୨୧୦ ଜଣଙ୍କ ହାତ ଥିଲା । ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ଆମର ସ୍ବାଧୀନତା ସଂଗ୍ରାମ କେବଳ ଏକ ରାଜନୈତିକ ସଂଗ୍ରାମ ନ ଥିଲା। ଏହା ଥିଲା ସମତା ଓ ନ୍ୟାୟ ପାଇଁ ସଂଗ୍ରାମ। ହିଂସା ଓ ଶୋଷଣ ବିରୁଦ୍ଧରେ ସଂଗ୍ରାମ। ଆମର ସଂଗ୍ରାମ କେବଳ ଆମ ପାଇଁ ସ୍ବାଧୀନତା ଆଣି ନଥିଲା। ଏହା ଥିଲା ସାରା ବିଶ୍ବ ପାଇଁ ମାନବତାର ସବୁଠାରୁ ବଡ ବିଜୟ। ଆମର ସ୍ବାଧୀନ ମୂଲ୍ୟବୋଧ ହିଁ ସମସ୍ତ ବିବିଧତା ସତ୍ତ୍ବେ ଭାରତକୁ ମଜବୁତ କରି ରଖିଛି। ବିବିଧତା ହିଁ ଆମର ଶକ୍ତି। ଆମ ଜୀବନଧାରାର ଗୁରୁତ୍ବପୂର୍ଣ୍ଣ ଦିଗ। ଏହାକୁ ଆମେ କେବେ ବି ନଷ୍ଟ ହେବାକୁ ଦେବା ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସେହିପରି ଆମ ସମ୍ବିଧାନ ଏକ ଆଦର୍ଶ ସମ୍ବିଧାନ। ଆମ ଗଣତନ୍ତ୍ରର ଆତ୍ମା। ଏକ ମହାନ ଦେଶର ନାଗରିକ ଭାବରେ ଆମର ସକଳ ଶକ୍ତିର ଆଧାର ହେଉଛି ଆମର ସମ୍ବିଧାନ। ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ଆମକୁ ସବୁବେଳେ ପ୍ରେରଣା ଦେଇଆସିଛି। ଆମ କଥା ଓ କାର୍ଯ୍ୟରେ ସମ୍ବିଧାନର ମୂଲ୍ୟବୋଧ ପ୍ରତିଫଳିତ ହୋଇପାରିଲେ, ଭାରତ ବିଶ୍ବର ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇପାରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନାର ତୃତୀୟ ଲହରୀ ଏବେ ସାରା ବିଶ୍ବରେ ବ୍ୟାପିଛି। ଆମେ ମଧ୍ୟ ଏହାର ମୁକାବିଲା କରୁଛୁ। ମୋର ଅନୁରୋଧ ଆମେ ଭୟଭୀତ ହେବା ନାହିଁ। କରୋନାର ସବୁ ଗାଇଡ ଲାଇନ୍‌ସକୁ ଠିକ୍‌ ଭାବରେ ପାଳନ କରିବା ଏବଂ କରୋନାକୁ ହରାଇବା। ମୋର ବିଶ୍ବାସ, ସମସ୍ତଙ୍କ ସହଯୋଗରେ କରୋନା ଶୀଘ୍ର ଦୂର ହେବ ଏବଂ ଜୀବନ ଜୀବିକା ଆଗଭଳ ପୁଣି ସ୍ବାଭାବିକ ହେବ।

Breaking News