Report Card Odisha

| Daily Odia News

ବଢ଼ିଲା କାଳିଆ ଯୋଜନା ଅବଧି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାରଙ୍କ ପକ୍ଷରୁ କୃଷକଙ୍କୁ ପ୍ରଦାନ କରାଯାଉଥିବା କାଳିଆ ଯୋଜନାର ଅବଧିକୁ ବୃଦ୍ଧି କରାଯାଇଛି । ଆସନ୍ତା ୩୧ ତାରିଖରେ ଏହି ଯୋଜନା ସମାପ୍ତ ହେଉଥିବାର ବେଳେ ଯୋଜନାର ଅବଧିକୁ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି | ଏହି ଯୋଜନା ଗତ ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆରମ୍ଭ କରିଥିଲେ । କାଳିଆ ଯୋଜନାକୁ ଆଉ ତିନି ବର୍ଷ ପାଇଁ ବଢ଼ାଇବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ତେବେ ଗତକାଲି ରାଜ୍ୟ କ୍ୟାବିନେଟ ବୈଠକ ବସିଥିବା ବେଳେ ସେଥିରେ ୨୭ଟି ପ୍ରସ୍ତାବ ଉପରେ ମୋହର ବାଜିଥିଲା । ବିଧାନସଭା ଚାଲିଥିବାରୁ ସରକାରଙ୍କ ପକ୍ଷରୁ ଏ ବାବଦରେ ସବିଶେଷ ସୂଚନା ଦିଆଯାଇନାହିଁ । ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ବର୍ଷକୁ ଦୁଇଟି କିସ୍ତିରେ ଚାଷୀଙ୍କୁ କାଳିଆ ଯୋଜନାର ସହାୟତା ମିଳିବ । ଅକ୍ଷୟ ତୃତୀୟା ଓ ନୂଆଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଦୁଇ ହଜାର ଟଙ୍କା ଲେଖାଏଁ ପଠାଯିବ । ଏନେଇ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିବା ଜଣାପଡ଼ିଛି । ଏଥିସହିତ କୋଭିଡଙ୍କ ଅନାଥଙ୍କ ପାଇଁ ଆଶିର୍ବାଦ ଯୋଜନା, ସମଲେଶ୍ୱରୀ ମନ୍ଦିରର ଉନ୍ନତିକରଣ ପାଇଁ ସମଲାଇ ପ୍ରକଳ୍ପ, ପୁରୀରେ ଅବଢ଼ା ଯୋଜନା ଓ ସହରର ଉନ୍ନତିକରଣ ପାଇଁ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟ ଡାଟା ସେଣ୍ଟର ପଲିସି-୨୦୨୨ ଉପରେ କ୍ୟାବିନେଟ୍ ମୋହର ବାଜିଛି । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ୨୫୫ କୋଟିର ଅନୁଦାନ ସଂକ୍ରାନ୍ତ ପ୍ରସ୍ତାବ, ଓଡ଼ିଶା ଏମଏସଏମଇ ଉନ୍ନତିକରଣ ନୀତି-୨୦୧୬ରେ ସଂଶୋଧନ, କୃଷି ପରିସଂଖ୍ୟାନ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ଅଧିନିୟମରେ ସଂଶୋଧନ ସମେତ ବିଭିନ୍ନ ବିଭାଗରେ ପୂର୍ବରୁ ଥିବା ରୁଲର ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଛି ।

Breaking News