ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶିକ୍ଷାଦାନ କ୍ଷେତ୍ର ତଥା ତତ୍ସଲଗ୍ନ ବିଭିନ୍ନ ବିଭାଗକୁ ଅନବଦ୍ୟ କୃତୀ ଓ ଅବଦାନ ସହ ନିରବଚ୍ଛିନ୍ନ ଭାବେ ଉତ୍ସର୍ଗୀକୃତ ସେବା ପୂର୍ବକ ୨୫ ବର୍ଷ ପୂରଣ କରିଥିବା ଶିକ୍ଷାବିତ୍ ତଥା ସମାଜସେବୀ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ସଂପ୍ରତି ସମ୍ବର୍ଦ୍ଧିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ଡି.ଏ.ଭି ପବ୍ଲିକ ସ୍କୁଲ, ଚନ୍ଦ୍ରଶେଖରପୁରର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ବର୍ଷିଆନ ସ୍ଥପତି ତଥା ପଦ୍ମବିଭୁଷଣ ସୁଦର୍ଶନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଡ. ପାଣିଗ୍ରାହୀଙ୍କୁ ଅଙ୍ଗବସ୍ତ୍ର, ମାନପତ୍ର ଓ ସ୍ମୃତିଫଳକ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ । ସୁଚନାଯୋଗ୍ୟ, ଡ. ପାଣିଗ୍ରାହୀ ୧୯୯୫ ମସିହାରେ ଡି.ଏ.ଭି ପବ୍ଲିକ ସ୍କୁଲ ଚନ୍ଦ୍ରଶେଖରପୁରରୁ ତାଙ୍କ ଶିକ୍ଷକତା ଜୀବନ ଆରମ୍ଭ କରି ଶିକ୍ଷକତା ସହ ୨୦୦୧ ମସିହାରୁ ୨୦୧୦ ପର୍ଯ୍ୟନ୍ତ ଲୋକସମ୍ପର୍କ ଅଧିକାରୀ ତଥା ଅନ୍ୟାନ୍ୟ ବିଭାଗରେ ସଫଲତାର ସହ କାର୍ଯ୍ୟ ସମ୍ପାଦନ କରି ସଂପ୍ରତି ଡି.ଏ.ଭି କଳିଙ୍ଗ ନଗରଠାରେ ବରିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ଏଥି ସହିତ ରାଜ୍ୟର ଅଗ୍ରଣୀ ସାମାଜିକ ଏବଂ ସାସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାସ୍କୃତିକ ସଂଘର ସଭାପତି ଭାବରେ ଦୀର୍ଘ ୨୭ ବର୍ଷ ଧରି ପ୍ରଶଂସନୀୟ ସାଂସ୍କୃତିକ ଜାଗରଣ ଓ ସେବାକାର୍ଯ୍ୟ ପରିଚାଳନା କରି ଅଞ୍ଚଳର ଏକ ସୁନାମଧନ୍ୟ ସମାଜସେବୀ ଭାବରେ ପରିଚିତ ଡ. ପାଣିଗ୍ରାହୀ ଇତିପୂର୍ବରୁ ଶତାଧିକ ଅନୁଷ୍ଠ।।ନ ଦ୍ୱାରା ପୁରସ୍କୃତ ହୋଇସାରିଛନ୍ତି । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡ. ମାଧବାନନ୍ଦ କର, ଡି.ଏ.ଭି ଆଞ୍ଚଳିକ ନିର୍ଦ୍ଦେଶକ ତଥା ଡି.ଏ.ଭି ଚନ୍ଦ୍ରଶେଖରପୁରର ଅଧ୍ୟକ୍ଷ ଡ.କେ.ସି ଶତପଥୀ, ସହକାରୀ ଆଞ୍ଚଳିକ ନିର୍ଦ୍ଦେଶିକା ଡ. ସୁଜାତା, ଡି,ଏ,ଭି ଅନୁଷ୍ଠାନ ସମୂହର ଚେୟାରମ୍ୟାନ୍ ଓ ଅଧ୍ୟକ୍ଷ ଅଧ୍ୟକ୍ଷାଗଣ ସମ୍ମାନନୀୟ ଅତିଥି ଭାବରେ ମଞ୍ଚାସୀନ ଥିଲେ । ଜଣେ ସଫଳ ଶିକ୍ଷାବିତ୍ ସହ ଏକ ଉଚ୍ଚକୋଟୀର ଅଭିନେତା, ସଂଗଠକ ଓ ସମାଜସେବୀ ଭାବରେ ବିଶେଷ ଜନାଦୃତି ଲାଭ କରିସାରିଥିବା ଡ. ପାଣିଗ୍ରାହୀ ପୁରସ୍କାରର ଉତ୍ତରରେ ୨୫ ବର୍ଷର ଯାତ୍ରା କଷ୍ଟ ଦେଇଛି କିନ୍ତୁ ଶ୍ରଦ୍ଧେୟ ଛାତ୍ରଛାତ୍ରୀ, ଉତ୍ସର୍ଗୀକୃତ ସହକର୍ମୀ ଓ କର୍ମଚାରୀ, ସମ୍ମାନସ୍ପଦ ଅଭିଭାବକଙ୍କ ସହିତ ରହିବା ଆନନ୍ଦ ଦେଇଛି ବୋଲି ମତବ୍ୟକ୍ତ କରିବା ସହ ତାଙ୍କ ସଫଳତାର ଶ୍ରେୟ ନିମନ୍ତେ ଡି.ଏ.ଭି ଆଞ୍ଚଳିକ ନିର୍ଦ୍ଦେଶକ, ଡି.ଏ.ଭି କଳିଙ୍ଗ ନଗର ଅଧ୍ୟକ୍ଷ ବିପିନ କୁମାର ସାହୁ, ପରିବାର, ଆତ୍ମୀୟସ୍ୱଜନ ଓ ବନ୍ଧୁବର୍ଗଙ୍କୁ ଦେଇଛନ୍ତି ।






More Stories
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..
ଖଣ୍ଡଗିରିରୁ ଏମ୍ସ ହେବ ସ୍ବତନ୍ତ୍ର କରିଡର….