ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରତି ଜିଲ୍ଲାରେ ମେଡିକାଲ୍ କଲେଜ ସ୍ଥାପନ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଥିବାରୁ ଆଗାମୀ ୧୦ ବର୍ଷରେ ଦେଶରେ ରେକର୍ଡସଂଖ୍ୟକ ନୂଆ ଡାକ୍ତର ବାହାରିବେ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆଜି ଭିଡିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ଗୁଜରାଟର ଭୁଜ୍ ଜିଲ୍ଲାରେ ‘କେ.କେ. ପଟେଲ୍ ସୁପର୍ ସ୍ପେସାଲିଟି ହସ୍ପିଟାଲ୍’ ଉଦ୍ଘାଟନୀ ଉତ୍ସବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏଭଳି କହିଛନ୍ତି | ସେ ଏହା ମଧ୍ୟ କହିଛନ୍ତି କି ସମସ୍ତଙ୍କ ପାଇଁ ଡାକ୍ତରୀ ଶିକ୍ଷା ଉନ୍ମୁକ୍ତ କରିବା ଲାଗି ସରକାରଙ୍କ ଉଦ୍ୟମ ମଧ୍ୟ ଏଥିପାଇଁ ସହାୟକ ହେବ। ଗୁରୁତ୍ବାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭୁଜ୍ର ଏହି ଡାକ୍ତରଖାନା ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଉତ୍ତମ ମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବ। ଦୁଇ ଦଶନ୍ଧି ପୂର୍ବେ ୧,୧୦୦ ସିଟ୍ ଥାଇ ଗୁଜରାଟରେ ମାତ୍ର ୯ଟି ମେଡିକାଲ୍ କଲେଜ ଥିଲା। ଏବେ ୬୦୦୦ ସିଟ୍ ଥାଇ ୩୬ରୁ ଊର୍ଦ୍ଧ୍ବ ମେଡିକାଲ୍ କଲେଜ୍ ଅଛି। ୨୦୦୧ରେ ଭୂମିକମ୍ପ କଥା ସ୍ମରଣ କରି ମୋଦୀ କହିଲେ, କଠିନ ପରିଶ୍ରମ ବଳରେ ଏବେ ଭୁଜ୍ ଓ କଚ୍ବାସୀ ଏ ଅଞ୍ଚଳର ନୂତନ ଭାଗ୍ୟ ରଚନା କରୁଛନ୍ତି। ଆଜି ଏ ଅଞ୍ଚଳରେ ଅନେକ ଆଧୁନିକ ଡାକ୍ତରୀ ସେବା ଉପଲବ୍ଧ ହେଲାଣି। ଏହି ପରିପ୍ରେକ୍ଷୀରେ ଆଜି ଭୁଜ୍ରେ ଏକ ଆଧୁନିକ, ସୁପର୍-ସ୍ପେସାଲିଟି ହସ୍ପିଟାଲ୍ ଖୋଲୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉନ୍ନତ ସ୍ବାସ୍ଥ୍ୟ ସେବା କେବଳ ରୋଗ ଚିକିତ୍ସାରେ ସୀମିତ ନୁହେଁ, ଏହା ସାମାଜିକ ନ୍ୟାୟ ମଧ୍ୟ ପ୍ରଦାନ କରିବ। ଗରିବଟିଏ ଶସ୍ତାରେ ସର୍ବୋତ୍ତମ ଚିକିତ୍ସା ପାଇଲେ ଶାସନ ବ୍ୟବସ୍ଥା ପ୍ରତି ତାଙ୍କର ବିଶ୍ବାସ ଦୃଢ଼ ହେବ।






More Stories
ଜଗନ୍ନାଥ ଧାମକୁ ନେଇ ପୁଣି ବିବାଦୀୟ ବୟାନ ଦେଲେ ଦିଦି…..
ଏଥର ଟିଏମସି ସମ୍ପୂର୍ଣ୍ଣ ସଫା…..
ଆରଏସଏସ“ରାଷ୍ଟ୍ରୀୟ ସରେଣ୍ଡର ସଂଘ”…..