ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୁଷ୍କର୍ମ ସଂସ୍କୃତିକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରୋତ୍ସାହିତ କରୁଥିବା ପର୍ଫ୍ୟୁମ୍ ବ୍ରାଣ୍ଡ୍ର ବିଜ୍ଞାପନ ହଟାଇ ଦେବାପାଇଁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଟ୍ବିଟର ଏବଂ ୟୁଟ୍ୟୁବ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଟିଭି ଚ୍ୟାନେଲ୍ରେ ଏହି ବିଜ୍ଞାପନ ପ୍ରସାରଣ ହେଉଛି ତାହା ମଧ୍ୟ ହଟାଇବାପାଇଁ କୁହାଯାଇଛି। ଏହି ପର୍ଫ୍ୟୁମ୍ ବିଜ୍ଞାପନ ନେଇ ଚିନ୍ତା ପ୍ରକଟ କରି ଦିଲ୍ଲୀ ମହିଳା କମିସନ୍ ମୁଖ୍ୟ ସ୍ବାତୀ ମଲିୱାଲ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ପାଖକୁ ଚିଠି ଲେଖିଥିଲେ। କେନ୍ଦ୍ର ସରକାର ଉକ୍ତ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ବାତୀ ମଲିୱାଲ ନିବେଦନ କରିଥିଲେ। ଗଣମାଧ୍ୟମରୁ ଏହି ବିଜ୍ଞାପନ ହଟାଇବାପାଇଁ ଏବଂ ଏନେଇ ଏକ ଏତଲା ରୁଜୁ କରିବାପାଇଁ ଦିଲ୍ଲୀ ପୋଲିସ କୁ ନୋଟିସ୍ କରାଯାଇଛି। ଜୁନ୍ ୯ ସୁଦ୍ଧା ପୋଲିସ ରିପୋର୍ଟ ଦାଖଲ କରିବାପାଇଁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଲେୟର୍ସ ସଟ୍ ପର୍ଫ୍ୟୁମ୍ ପାଇଁ ଯେଉଁ ବିଜ୍ଞାପନ ପ୍ରସାରଣ ହୋଇଛି ସେଥିରେ ଜଣେ ଦମ୍ପତି ତଥା ଜଣେ ପୁରୁଷ ଏବଂ ମହିଳା ବେଡ୍ ଉପରେ ବସିଥିବାବେଳେ ୪ ଜଣ ଯୁବକ ରୁମ୍କୁ ପ୍ରବେଶ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କହୁଛନ୍ତି, ‘ସଟ୍ ମାରା ଲଗତା ହୈ’, ଏହାର ଉତ୍ତରରେ ବେଡ୍ ଉପରେ ବସିଥିବା ବ୍ୟକ୍ତି କହୁଛନ୍ତି , ‘ହାଁ ମାରା ନା’। ଏହାପରେ ପ୍ରଥମ ବ୍ୟକ୍ତି ଜଣଙ୍କ କହୁଛନ୍ତି, ‘ଅବ୍ ହମାରୀ ବାରି’। ଏହା କହି ସେ ସମ୍ପୃକ୍ତି ମହିଳାଙ୍କ ଆଡ଼କୁ ଯିବା ବେଳେ ମହିଳା ଜଣଙ୍କ ଅସହଜ ଅନୁଭବ କଲାଭଳି ରହିଥିଲେ। ସମ୍ପୃକ୍ତ ଯୁବକ ଜଣକ ଏହାପରେ ସଟ୍ ନାମକ ବଡି ସ୍ପ୍ରେ ବଟଲ୍ ଉଠାଇବାପରେ ମହିଳା ଆଶ୍ବସ୍ତି ଅନୁଭବ କରିଥିଲେ। ସେହିପରି ଏହି ସମାନ ବ୍ରାଣ୍ଡ୍ର ଅନ୍ୟ ଏକ ବିଜ୍ଞାପନରେ ୪ ଜଣ ଯୁବକ ଜଣେ ମହିଳାଙ୍କୁ ଏକ ଷ୍ଟୋର୍ରେ ପିଛା କରୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ କହିଥିଲେ, ‘ହମ୍ ଚାର୍ ଔର ୟେ ଏକ୍’। ସଟ୍ କୌନ୍ ଲେଗା। ମହିଳା ଜଣଙ୍କ ଅତ୍ୟନ୍ତ ଭୟ କରିଯାଇଥିଲେ। ଏହି ସମୟରେ ଜଣେ ଯୁବକ ‘ସଟ୍’ ବଡି ସ୍ପ୍ରେ ବଟଲ୍ ଉଠାଇବାପରେ ମହିଳା ଜଣଙ୍କ ଆଶ୍ବସ୍ତ ହୋଇଥିଲେ।






More Stories
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..
ସାନ୍ତାଳୀ ଭାଷାରେ ସମ୍ବିଧାନ ପ୍ରକାଶ…..