Report Card Odisha

| Daily Odia News

ମଙ୍କିପକ୍ସ ପାଇଁ ସମସ୍ତ କୋଭିଡ୍ ନିୟମ ପାଳିବାକୁ ଡାକ୍ତରଙ୍କ ପରାମର୍ଶ……

Skin infected Herpes zoster virus on the arms

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୀର୍ଘ ୨ ବର୍ଷ ଧରି କରୋନା ମହାମାରୀ ସହିତ ସମସ୍ତେ ଲଢୁଥିବା ବେଳେ ମଙ୍କିପକ୍ସ ଡରାଉଛି | ଏହାକୁ ନେଇ ଲୋକନାୟକ ଜୟପ୍ରକାଶ ହସ୍ପିଟାଲର ଡାକ୍ତର ସୁରେଶ କୁମାର କହିଛନ୍ତି ଯେ କୋଭିଡ୍-୧୯ରୁ ସୁରକ୍ଷା ପାଇବା ପାଇଁ ଯେଉଁସବୁ ନିୟମ ମାନିବା ପାଇଁ କୁହାଯାଉଥିଲା ବର୍ତ୍ତମାନ ମଙ୍କିପକ୍ସ ପାଇଁ ମଧ୍ୟ ସେହିସବୁ ନିୟମ ପାଳନ କରିବା ଆବଶ୍ୟକ। ଅର୍ଥାତ୍ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ହାତ ଧୋଇବା ଇତ୍ୟାଦି। ଭାରତରେ ମଙ୍କିପକ୍ସର ଚତୁର୍ଥ ମାମଲା ନଜରକୁ ଆସିବା ପରେ ସରକାର ଭୂତାଣୁର ପ୍ରସାରକୁ ରୋକିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କୌଣସି ବିଦେଶଯାତ୍ରାର ଇତିହାସ ନ ଥିବା ସମ୍ପୃକ୍ତ ୩୪ ବର୍ଷୀୟ ବ୍ୟକ୍ତି ଜ୍ବର ଓ ଚର୍ମ ସଂକ୍ରମଣ ଅଭିଯୋଗ ନେଇ ଦୁଇଦିନ ତଳେ ଲୋକନାୟକ ଜୟପ୍ରକାଶ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ସେ ମଙ୍କିପକ୍ସ ଦ୍ବାରା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ଚିକିତ୍ସା ପରେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଡା. ସୁରେଶ କୁମାର କହିଛନ୍ତି। ତେବେ ଅନ୍ୟମାନେ ଯେପରି ଏହି ମାରାତ୍ମକ ସଂକ୍ରାମକ ରୋଗରେ ସଂକ୍ରମିତ ନ ହୁଅନ୍ତି ସେଥିପାଇଁ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ଡା. କୁମାର କହିଛନ୍ତି। ସେ କହିଛନ୍ତି ମାକ୍ସ ପିନ୍ଧାଠାରୁ ଆରମ୍ଭ କରି କୋଭିଡ୍ ପାଇଁ ଯେଉଁସବୁ ନିୟମ ପାଳନ କରିବା ପାଇଁ କୁହାଯାଉଥିଲା ମଙ୍କିପକ୍ସ ପାଇଁ ମଧ୍ୟ ସେହିସବୁ ନିୟମ ପାଳନୀୟ। ଯେଉଁମାନଙ୍କର ଡାଇବେଟିସ୍, ରକ୍ତଚାପ ଆଦି ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଅଛି ସେମାନେ ସହଜରେ ସଂକ୍ରମିତ ହୋଇପାରନ୍ତି, କାରଣ ସେମାନଙ୍କର ରୋଗ-ନିରୋଧକ କ୍ଷମତା କମ୍। ବର୍ତ୍ତମାନ ସୁଦ୍ଧା ଏହି ରୋଗ ଭାରତ ସମେତ ୭୫ଟି ଦେଶକୁ ବ୍ୟାପିଲାଣି ଏବଂ ୧୬,୦୦୦ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହେଲେଣି। ଏହି ରୋଗରେ ୫ ଜଣ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂସ୍ଥା (ହୁ) ପ୍ରକାଶ କରିଛି।

Breaking News