Report Card Odisha

| Daily Odia News

ୟୁକ୍ରେନ ଉପରେ ବୋମା ବର୍ଷଣ କଲା ରୁଷ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଥମିବାର ନାଁ ନେଉନାହିଁ ୟୁକ୍ରେନ -ରୁଷ୍ ଯୁଦ୍ଧ | ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ କରିବନାହିଁ ବୋଲି କହିବା ପର ପୁଣି ଆକ୍ରମଣ କରିଛି । ତିନି ଦିନ ଆକ୍ରମଣ ବନ୍ଦ କରିବା ପରେ ରୁଷ୍ ସୋମବାର ପୁନର୍ବାର ଆକ୍ରମଣ କରିଥିବା ଜଣାପଡିଛି । ୟୁକ୍ରେନର ରାଜଧାନୀ କିଭ୍‌ର ବିଭିନ୍ନ ସ୍ଥାନରେ ରୁଷ୍ ଏହାର କାମିକାଝେ ଡ୍ରୋନ ମାଧ୍ୟମରେ ଆକ୍ରମଣ ଘଟାଇଛି। ଡ୍ରୋନ ମାଧ୍ୟମରେ ବୋମା ବର୍ଷଣ ଦ୍ବାରା ବିଭିନ୍ନ ଆବାସିକ ବଡ଼ବଡ଼ କୋଠା ଧ୍ବଂସ ହୋଇଯାଇଛି। କିଭ୍ ମେୟର ଭିଟାଲି କ୍ଲିଟ୍‌ସକୋ ଏକ ଟେଲିଗ୍ରାମ ବାର୍ତ୍ତାରେ କହିଛନ୍ତି ଯେ ରୁଷ୍‌ର ଡ୍ରୋନଗୁଡିକ ସକାଳୁ ସକାଳୁ ସହରରେ ଆକ୍ରମଣ ଘଟାଇଥିଲା। ଏଥିପାଇଁ ସହରରେ ଯାତାୟାତ ବନ୍ଦ ରହିଥିଲା। କିଭ୍‌ର କେନ୍ଦ୍ରାଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଗତ ସପ୍ତାହରେ ରୁଷ୍ ୟୁକ୍ରେନର ବିଭିନ୍ନ ସହର ଉପରେ କ୍ଷେପଣାସ୍ତ୍ର ମାଡ କରିଥିଲା। ଏବେ ଏହା ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିଛି। ତେବେ କେତେକ ଡ୍ରୋନ ୟୁକ୍ରେନ ସେନା ଆକାଶ ମାର୍ଗରେ ନଷ୍ଟ କରିଦେଇଥିଲା। ଅକ୍ଟୋବର ୧୦ରେ ୟୁକ୍ରେନ ଉପରେ ରୁଷ୍ ୭୫ଟି କ୍ଷେପଣାସ୍ତ୍ର ମାଡ କରିଥିଲା। ଏଥିରେ ୟୁକ୍ରେନର ସାଧାରଣ ଜନବସତିକୁ ଟାର୍ଗେଟ କରାଯାଇଥିଲା। ପାର୍କ, ପାଦଚଲା ରାସ୍ତା, ଶିକ୍ଷାନୁଷ୍ଠାନଗୁଡିକୁ ଟାର୍ଗେଟ କରି ରୁଷ୍ କ୍ଷେପଣାସ୍ତ୍ର ମାଡ କରିଥିଲା। କ୍ରିମିଆ ସେତୁ ଉପରେ ୟୁକ୍ରେନର କ୍ଷେପଣାସ୍ତ୍ର ମାଡ ପରେ ରୁଷ୍ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ ଘଟାଇଥିଲା। ଗତ ଫେବୃଆରୀରୁ ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହି ଯୁଦ୍ଧରେ ରୁଷକୁ ସହାୟତା ଯୋଗାଇ ଦେବାକୁ ଇରାନ ଘୋଷଣା କରିଛି। ରୁଷ୍‌କୁ କ୍ଷେପଣାସ୍ତ୍ର ଓ ଡ୍ରୋନ ଯୋଗାଇ ଦେବାକୁ ଯୋଜନା କରିଛି। ପ୍ରଥମ ପର୍ଯ୍ୟାୟରେ ରୁଷକୁ ସ୍ବଳ୍ପ ଦୂରଗାମୀ ବାଲଷ୍ଟିକ କ୍ଷେପଣାସ୍ତ୍ର ଯୋଗାଇ ଦେବ ଇରାନ। ଏହା ମଧ୍ୟରେ ଫତେହ-୧୧୦, ଜୋଲଫାଘର ରହିଛି। ଯାହା ୩୦୦ କିମି ଓ ୭୦୦ ଦୂରକୁ ନିଶାଣ କରିପାରିବ। ଏହା ସହିତ ଇରାନ ମୋହାଜେର-୬, କାମିକାଝେ ଡ୍ରୋନ ଯୋଗାଇ ଦେବ। କାମିକାଝେ ଡ୍ରୋନ ବା ସାହେଦ-୧୩୬ ଡ୍ରୋନ ୨୪୦୦ କିମି ଦୂରକୁ ଟାର୍ଗେଟ କରିପାରିବ। ଏହି ଯୁଦ୍ଧରେ ୟୁକ୍ରେନକୁ ଆମେରିକା, ବ୍ରିଟେନ ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ସହାୟତା ଯୋଗାଇ ଆସୁଛନ୍ତି।

Breaking News