ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାତ୍ୟା ସିତ୍ରଙ୍ଗ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି | ସୋମବାର ରାତିରେ ଏହି ବାତ୍ୟା ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା । ଫଳରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ଜୋର୍ରେ ପବନ ହୋଇଥିଲା । ବାତ୍ୟାରେ ୩୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସ୍ଥାନୀୟ ପ୍ରଶାସନ କହିଛି । ଗଛ ଉପୁଡ଼ି ଲୋକଙ୍କ ଉପରେ ପଡ଼ିବା ସହ କାନ୍ଥ ଭୁଶୁଡ଼ିବାରୁ ଅଧିକାଂଶ ଲୋକଙ୍କ ପ୍ରାଣହାନି ଘଟିଛି । ଏହାର ପ୍ରଭାବରେ ୧୦ହଜାରରୁ ଅଧିକ ଘର ଭାଙ୍ଗିଛି । ଅନ୍ୟପକ୍ଷରେ ସିତ୍ରଙ୍ଗ ପ୍ରଭାବରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ମଧ୍ୟ କ୍ଷୟକ୍ଷତି ଘଟିଛି । ଆସାମର ନୂଆଗାଁ ଜିଲାରେ ପ୍ରବଳ ବର୍ଷା-ପବନରେ ଅନେକ ଘର ଭାଙ୍ଗିଛି। ଆସାମ ସମେତ ମେଘାଳୟ, ମିଜୋରାମ, ତ୍ରିପୁରାରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା। କେନ୍ଦ୍ରୀୟ ଆସାମର କାଲିଆବୋର, ବାମୁନି, ସାକମୁଥିଆ ଓ ବୋରାଲିଗା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଜୀବନହାନିର କୌଣସି ଖବର ନାହିଁ। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାରେ ସିତ୍ରଙ୍ଗ ପ୍ରଭାବରେ ସମୁଦ୍ରରେ ଉଚ୍ଚ ଢ଼େଉ ଉଠିଥିଲା। ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ସମୁଦ୍ରକୂଳକୁ ନ ଯିବାକୁ ସ୍ଥାନୀୟ ପ୍ରଶାସନ ତରଫରୁ ନିର୍ଦେଶ ଦିଆଯାଇଥିଲା। ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ସିତ୍ରଙ୍ଗ ବାଂଲାଦେଶରେ ପହଞ୍ଚିବା ପରେ ଦୁର୍ବଳ ହୋଇ ତୀବ୍ର ଅବପାତରେ ପରିଣତ ହୋଇଛି। ଆଗକୁ ଏହା ଅବପାତରେ ପରିଣତ ହେବ।ବାଂଲାଦେଶରେ ବାତ୍ୟା ପ୍ରଭାବିତ ଅଞ୍ଚଳରୁ ୨ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର କର୍ମଚାରୀଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା। ପ୍ରାୟ ୧୦ ଲକ୍ଷ ଲୋକ ବିଦ୍ୟୁତ୍ ଯୋଗାଯୋଗରୁ ବଞ୍ଚିତ ଅଛନ୍ତି । ଉପକୂଳ ଅଞ୍ଚଳରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ବ୍ୟାହତ ହୋଇଛି। ପାରରୋଜପୁର ଓ ମଦରାପୁର ଜିଲ୍ଲାରେ ବିଦ୍ୟୁତ୍ ସେବା ବହୁଳ ଭାବେ ବ୍ୟାହତ ହୋଇଛି। ବାଂଲାଦେଶ ସରକାରଙ୍କ ତରଫରୁ ୧୫ଟି ଉପକୂଳ ଜିଲାରେ ୭ହଜାର ୩୦ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରାଯାଇଛି। ବାତ୍ୟା ସିତ୍ରଙ୍ଗ ଲ୍ୟାଣ୍ଡ୍ଫଲ୍ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୬୫କି.ମି. ଥିବାବେଳେ ଏହାର ଝଟକା ୮୫ କିମି. ଥିଲା । ମଙ୍ଗଳବାର ଅପରାହ୍ଣରେ ବାତ୍ୟା ଦୁର୍ବଳ ହୋଇଯାଇଛି ।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..