ରିପୋର୍ଟ କାର୍ଡ / ପୁରୀ
ଆସନ୍ତା ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମା ମଙ୍ଗଳବାର | ସେହି ଦିନ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ। ସେଦିନ ୨ଟା .୩୮ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ସନ୍ଧ୍ୟା ୬ଟା ୧୮ମିନିଟ ୪୭ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ତେଣୁ ସକାଳ ୫ଟା ୫୪ ମିନିଟ ୫୩ ସେକେଣ୍ଡରୁ ପାକତ୍ୟାଗ, ଅନ୍ନଭୋଜନ ନିଷେଧ ଏବଂ ଦେବନୀତି ବନ୍ଦ ପାଇଁ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ସ୍ଥିର କରାଯାଇଛି। ପୂର୍ବରୁ ପ୍ରସ୍ତୁତ ନୀତିନିର୍ଘଣ୍ଟକୁ ନେଇ ବିବାଦ ଦେଖା ଦେବାରୁ ମଙ୍ଗଳବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ସବୁ ସେବକ ନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସକାଳ ୫ଟା ୫୪ମିନିଟ ୫୩ ସେକେଣ୍ଡରୁ ପାକତ୍ୟାଗ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାତି ୧୨ଟା ୧୦ରେ ଶ୍ରୀମନ୍ଦିର ଦ୍ବାର ଫିଟାଯିବ। ଭିତରଶୋଧ ପରେ ୧୨ଟା ୩୦ରେ ମହାପ୍ରଭୁଙ୍କୁ ମଙ୍ଗଳ ଆଳତି କରାଯିବ। ମଇଲମ, ତଡ଼ପଲାଗି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ପରେ ରାତି ୨ଟା ୩୦ରେ ଦାରୁବ୍ରହ୍ମଙ୍କୁ ରାଜରାଜେଶ୍ବର ବେଶ କରାଯିବ। ଏହାପରେ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ ଏବଂ ବନ୍ଦାପନା କରାଯିବ। ସକାଳ ୫ଟା ୫୦ସୁଦ୍ଧା ଭୋଗମଣ୍ଡପ ନୀତି ଶେଷ ପାଇଁ ବୈଠକରେ ସହମତି ହୋଇଛି। ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ସେବାପୂଜା ସମ୍ପନ୍ନ କରିବାକୁ ପାଳିଆ ସେବକଙ୍କୁ ଅନୁରୋଧ କରାଯାଇଛି। ଏଥିପାଇଁ ଅଧିକ ସେବକଙ୍କୁ ନିୟୋଜିତ କରାଯିବ। ସେମାନଙ୍କୁ ସ୍ବତନ୍ତ୍ର ପ୍ରାପ୍ୟ ପ୍ରଦାନ କରାଯିବ। ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କୁ ଗ୍ରହଣ ମହାସ୍ନାନ ଏବଂ ଗ୍ରହଣ ଭୋଗ କରାଯିବ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..