ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତ କୁ ଯୋଡିବାକୁ କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ ଜାରିରହିଛି | ‘ଭାରତ ଯୋଡ଼ୋ ଯାତ୍ରା’ ବର୍ତ୍ତମାନ ରାଜସ୍ଥାନରେ ପହଂଚିଛି | ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ପୂର୍ବତନ ଗଭର୍ଣ୍ଣର୍ ରଘୁରାମ ରାଜନ ରାଜସ୍ଥାନରେ ରାହୁଲ୍ ଗାନ୍ଧୀଙ୍କ ସହିତ ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେଇଛନ୍ତି। ସୂଚନା ଅନୁସାରେ, ଆଜି ରାଜସ୍ଥାନର ସୱାଇ ମାଧୋପୁର ଅନ୍ତର୍ଗତ ଭଦୋଟୀରୁ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ ହେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର ସ୍ବଳ୍ପସମୟ ପାଇଁ ଏଥିରେ ଯୋଗ ଦେଇଥିଲେ। ଟୁଇଟ୍ କରି କଂଗ୍ରେସ ଲେଖିଛି: ‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଲ୍ ଗାନ୍ଧୀଙ୍କ ସହିତ ପାଦ ମିଶାଇଲେ ‘ଭାରତୀୟ ରିଜର୍ଭ ବ୍ୟାଙ୍କ୍’ର ପୂର୍ବତନ ଗଭର୍ଣ୍ଣର୍ ରଘୁରାମ ରାଜନ। ଘୃଣା ବିରୋଧରେ ଦେଶ ସଂଯୋଗ କରିବା ଲାଗି ସହଯୋଗକାରୀଙ୍କ ସଂଖ୍ୟା ବୃଦ୍ଧି ଦର୍ଶାଉଛି କି, ଆମେ ସଫଳ ହେବୁ। ଆଉ ଏକ ଟୁଇଟ୍ରେ କଂଗ୍ରେସ ଲେଖିଛି, ଅନ୍ଧକାରରୁ ଆଲୋକ ଆଡ଼କୁ ନେଇ ଯିବାର ଯଜ୍ଞ ହେଉଛି ‘ଭାରତ ଯୋଡ଼ୋ ଯାତ୍ରା’। ଏହି ଯାତ୍ରାକୁ ସ୍ବାଗତ କରିବା ନିମନ୍ତେ ଥଣ୍ଡାରେ ପ୍ରତୀକ୍ଷାରତ ଲୋକେ ନିଜ ନିଜ ଉପସ୍ଥିତିକୁ ଏହି ଯଜ୍ଞରେ ଆହୂତି ଦେଉଛନ୍ତି। ଦେଶ ରକ୍ଷା କରିବାର ଯଜ୍ଞ। ରାଜସ୍ଥାନରେ ଏହା ହେଉଛି ‘ଭାରତ ଯୋଡ଼ୋ ଯାତ୍ରା’ର ୧୦ମ ଦିବସ। ବାମନବାସ ବିଧାନସଭା ଆସନ ଅନ୍ତର୍ଗତ ଭଦୋଟୀ ଗ୍ରାମରୁ ଆରମ୍ଭ ହୋଇଥିବା ଆଜିର ଯାତ୍ରା ୨୫ କିଲୋମିଟର୍ ପଥ ଅତିକ୍ରମ କରିବ। ଏହି ଯାତ୍ରା ଦୌସା ଜିଲ୍ଲାରେ ପ୍ରବେଶ କରି ବାଗଡ଼ୀ ଗ୍ରାମରେ ରହିବ। ‘ଭାରତ ଯୋଡ଼ୋ ଯାତ୍ରା’ ପ୍ରବେଶ କରିବାରେ ଦୌସା ହେଉଛି ରାଜସ୍ଥାନର ୫ମ ଜିଲ୍ଲା। ଯାତ୍ରାରେ ରାହୁଲ୍ ଗାନ୍ଧୀଙ୍କ ସହିତ ଅଛନ୍ତି, ଗୋବିନ୍ଦ ଦୋତସରା, ଅଶୋକ ଗେହ୍ଲଟ୍, ସଚିନ ପାଇଲଟ୍ ଏବଂ ଅନ୍ୟାନ୍ୟ ନେତାମାନେ। ବାଗଡ଼ୀ ଗ୍ରାମରେ ରାହୁଲ୍ ଜନସଭାରେ ଉଦ୍ବୋଧନ ଦେବେ।






More Stories
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର…..
ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ପୁରସ୍କାର…..
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..