Report Card Odisha

| Daily Odia News

୪୦୦ ‘ଦଙ୍ଗାକାରୀ’ଙ୍କୁ ଜେଲ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇରାନୀୟ କୋର୍ଟଗୁଡ଼ିକ ଏପର୍ଯ୍ୟନ୍ତ ହିଜାବ ବିରୋଧରେ ଆନ୍ଦୋଳନ କରିଥିବା ୪୦୦ରୁ ଅଧିକ ଲୋକଙ୍କୁ ‘ଦଙ୍ଗାକାରୀ’ ଦର୍ଶାଇ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜନୈକ ବିଚାରବିଭାଗୀୟ ଅଧିକାରୀ କହିଛନ୍ତି, ହିଜାବ ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ସମସ୍ତ ଆନ୍ଦୋନକାରୀଙ୍କୁ ସରକାର ଦଙ୍ଗାକାରୀ ବୋଲି କହୁଛନ୍ତି। ଏପର୍ଯ୍ୟନ୍ତ ୪୦୦ ପର୍ଯ୍ୟନ୍ତ ଦଙ୍ଗାକରୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦିଆଯାଇଛି। ସବୁ ଦଙ୍ଗାକାରୀଙ୍କୁ ଜେଲ ଦଣ୍ଡ ଦେଲେ ଏହି ସଂଖ୍ୟା ଅନେକ ଗୁଣ ବଢ଼ିଯିବ ବୋଲି ସେ କହିଛନ୍ତି। ଜାତିସଂଘର ମାନବାଧିକାର ବିଶେଷଜ୍ଞମାନଙ୍କ ଆକଳନ ଅନୁସାରେ ହିଜାବ-ବିରୋଧୀ ଆନ୍ଦୋଳନରେ ପିଲାଙ୍କୁ ମିଶାଇ ସେପ୍ଟେମ୍ବର ମଧ୍ୟଭାଗରୁ ଏ ପର୍ଯ୍ୟନ୍ତ ଇରାନରେ ୧୪,୦୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଗଲାଣି। ମହିଳାମାନେ ବି ବହୁସଂଖ୍ୟାରେ ହିଜାବକୁ ବିରୋଧ କରି ରାସ୍ତାକୁ ଓହ୍ଲାଇବା ଓ ଗିରଫ ହେବା ଦେଖାଯାଉଛି। ଆନ୍ଦୋଳନକୁ ଦମନ କରିବାକୁ ଯାଇ ଏପର୍ଯ୍ୟନ୍ତ ପ୍ରାୟ ୩୦୦ ଲୋକଙ୍କୁ ହତ୍ୟା କରାଯାଇସାରିଲାଣି। ସୁରକ୍ଷା କର୍ମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇ ଜଣ ଆନ୍ଦୋଳନକାରୀଙ୍କୁ ସର୍ବସାଧାରଣରେ ଫାଶୀ ବି ଦିଆଯାଇଛି। ସୂଚନାଯୋଗ୍ୟ, ମେହସା ଆମିନି ନାମ୍ନୀ ଜନୈକା କୁର୍ଦ୍ଦ ମହିଳା ହିଜାବ ପିନ୍ଧି ନ ଥିବାରୁ ତାଙ୍କୁ ଗିରଫ କରି ହାଜତରେ ନିର୍ଯାତନା ଦେଇ ହତ୍ୟା କରାଯିବା ପରେ ସରକାରଙ୍କ ହିଜାବ ଆଇନ ଓ ନୈତିକତା ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଦେଖାଦେଇଛି।

 

 

Breaking News