ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିର ଦିନରେ ଦୁଇଜଣ ସ୍ବାଧୀନତା ସଂଗ୍ରାମର ମହାସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ବୋଷ ଜନ୍ମ ହୋଇଥିଲେ | ୧୮୦୯ମସିହାରେ ଜାନୁଆରୀ ୨୩ରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଖିଣ୍ଡା ଗ୍ରାମରେ ବୀର ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ। ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଦିନ ଓଡ଼ିଶାର କଟକ ସହରଠାରେ ସୁଭାଷ ବୋଷ ଜନ୍ମ ଗ୍ରହଣ କରିଥିଲେ। ସୁଭାଷ ବୋଷ ରେଭେନ୍ସା କଲିଜିଏଟ୍ ସ୍କୁଲରେ ପାଠ ପଢ଼ିବା ପରେ ସେ କଲକାତା ପ୍ରେସିଡେନ୍ସି କଲେଜରେ ଅଧ୍ୟୟନ କଲେ। ୧୯୩୮ରେ ସେ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସଶସ୍ତ୍ର ଆନ୍ଦୋଳନ ଦ୍ବାରା ହିଁ ଭାରତକୁ ବ୍ରିଟିଶ୍ ସାମ୍ରାଜ୍ୟବାଦରୁ ମୁକ୍ତ କରିହେବ ବୋଲି ତାଙ୍କ ଦୃଢ଼ ବିଶ୍ବାସ ଥିଲା। ୧୯୪୦ରେ ତାଙ୍କୁ ଗୃହବନ୍ଦୀ କରାଗଲା। କୌଶଳକ୍ରମେ ନେତାଜୀ ଖସିଯାଇ ବର୍ଲିନ୍ରେ ପହଞ୍ଚିଥିଲେ। ସେଠି ହିଟଲର୍ଙ୍କ ସହ ଆଲୋଚନା କରି ସଫଳ ନ ହେବାରୁ ସେ ଆଜାଦ୍ ହିନ୍ଦ୍ ଫୌଜ ଗଠନ କଲେ। ୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା । ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦ ହିନ୍ଦ ଫୌଜ ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରି ତାଙ୍କୁ ପରାସ୍ତ କଲା। ୧୯୪୫ ଅଗଷ୍ଟ ୧୮ରେ ଜାପାନ ସରକାର ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ଘୋଷଣା କରିଥିଲା। ଏବେ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟଜନକ ହୋଇ ରହିଛି।

ସେହିପରି ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ମହାସଂଗ୍ରାମୀ ସୁରେନ୍ଦ୍ର ସାଏ ଦୀର୍ଘ ୩୬ ବର୍ଷକାଳ କାରାଗାରରେ କାଟିଥିଲେ। ପ୍ରଥମ ପର୍ଯ୍ୟାୟରେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ସଂଗ୍ରାମ ୧୮୨୭-୧୮୪୦ ମସିହା ପର୍ଯ୍ୟନ୍ତ ବିକ୍ଷିପ୍ତ ଏବଂ ସୀମିତ ଥିଲା; କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ ତଥା ବୀରତ୍ୱପୂର୍ଣ୍ଣ ଥିଲା। ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ୍ ଶାସକ ଓ ସୈନ୍ୟବାହିନୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା। ଇଂରେଜମାନଙ୍କୁ କଡ଼ା ଜବାବ ଦେବା ପାଇଁ ୭ ଅକ୍ଟୋବର ୧୮୫୭ରେ ୧୨ଶହ ଲୋକଙ୍କ ସହ ସମ୍ବଲପୁର ସହରରେ ପ୍ରବେଶ କରିଥିଲେ। ବିଶ୍ୱାସଘାତକର ଶିକାର ହୋଇଥିବା ସୁରେନ୍ଦ୍ର ଦୁଇଜଣ ସ୍ଥାନୀୟ ଲୋକଙ୍କ ଯୋଗୁଁ ଦ୍ୱିତୀୟ ଥର ପାଇଁ ଗିରଫ ହୋଇଥିଲେ। ଗିରଫ ସୁରେନ୍ଦ୍ର ସାଏଙ୍କୁ ମଧ୍ୟପ୍ରଦେଶର ବୁରହାନପୁର ଜିଲାର ଅସୀରଗଡ଼ ଦୁର୍ଗରେ ବନ୍ଦୀ କରାଯାଇଥିଲା। ସେବେଠାରୁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବନ୍ଦୀ ଜୀବନ କାଟିଥିଲେ ସୁରେନ୍ଦ୍ର ସାଏ। ୧୮୮୪ ଫେବୃଆରୀ ୨୮ ତାରିଖରେ ଅସୀରଗଡ଼ ଦୁର୍ଗରେ ହିଁ ସୁରେନ୍ଦ୍ର ସାଏଙ୍କ ପରଲୋକ ହୋଇଥିଲା। ବୀର ସୁରେନ୍ଦ୍ର ସାଏଙ୍କ ସମ୍ମାନାର୍ଥେ ୨୦୦୯ ମସିହାରେ ୟୁନିଭର୍ସିଟି କଲେଜ୍ ଅଫ୍ ଇଞ୍ଜିନିଅରିଂ, ବୁର୍ଲାର ନାମ ବଦଳାଯାଇ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ବୁର୍ଲା କରାଯାଇଥିଲା। ବୁର୍ଲାଠାରେସ୍ଥିତ ଭେଷଜ ମହାବିଦ୍ୟାଳୟର ନାମ ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ ଦିଆଯାଇଅଛି। ଭାରତ ସରକାର ସୁରେନ୍ଦ୍ର ସାଏଙ୍କ ସମ୍ମାନାର୍ଥେ ଡାକ ଟିକଟ ଛପାଇଥିଲେ। ଝାରସୁଗୁଡ଼ାସ୍ଥିତ ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଦିଆଯାଇଛି।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..