Report Card Odisha

| Daily Odia News

ଚାଉଳ ଜୀବନର ଶସ୍ୟ:ରାଷ୍ଟ୍ରପତି…..

ରିପୋର୍ଟ କାର୍ଡ / କଟକ

କଟକ ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ଦ୍ବିତୀୟ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ବି ଉପସ୍ଥିତ ଅଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଓ ରାଜ୍ୟପାଳ କେତେକ ପୁସ୍ତକ ଉନ୍ମୋଚନ କରିଥିଲେ। ଚାଉଳ ଜୀବନର ଶସ୍ୟ। ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କଣ ସମସ୍ତଙ୍କୁ ଜଣା। ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି। ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଇଣ୍ଡିଆନ ରାଇସ୍‌ କଂଗ୍ରେସର ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଆହୁରି କହିଛନ୍ତି, ଯୁବ ବୈଜ୍ଞାନିକ, ବିଶେଷ କରି ମହିଳା ବୈଜ୍ଞାନିକଙ୍କୁ ଦେଖି ମୁଁ ବହୁତ ଖୁସି। ବିଭିନ୍ନ ପୂଜାପର୍ବାଣୀରେ ଧାନର ଭୂମିକା ଅନସ୍ବୀକାର୍ଯ୍ୟ। ଭାରତ ସର୍ବାଧିକ ଚାଉଳ ରପ୍ତାନି କରି ଅନ୍ୟ ଦେଶକୁ ମଧ୍ୟ ଖାଦ୍ୟ ଯୋଗାଉଛି। ଅତ୍ୟଧିକ ସାର ବ୍ୟବହାର ମାଟିର ମାନ ନଷ୍ଟ କରୁଛି। ଏଣୁ ଇକୋଫ୍ରେଣ୍ଡଲି ଉପାୟରେ ଧାନ ଉତ୍ପାଦନ କରିବା ଦିଗରେ କୃଷି ବୈଜ୍ଞାନିକମାନଙ୍କ ଉଦ୍ୟମ ଲୋଡ଼ା। ଆମ ବୈଜ୍ଞାନିକମାନେ ଏଥିପାଇଁ କାର୍ଯ୍ୟ କରିବେ ବୋଲି ମୋର ଆଶା ଅଛି। ଠିକ୍ ସେହିପରି ପ୍ରାକୃତିକ ବିପର୍ଯ୍ୟୟ ଧାନ ଚାଷ ପାଇଁ ବାଧକ ସାଜିଛି। ଜଳବାୟୁ ପରିବର୍ତ୍ତନ ବି ଏଥିରେ ଅନ୍ତରାୟ ସୃଷ୍ଟି କରୁଛି। ଏଭଳି କ୍ଷେତ୍ରରେ କୃଷି ବୈଜ୍ଞାନିକଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଉଦବୋଧନ ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି, କୃଷି ଓ କୃଷକଙ୍କର ବିକାଶ ଲାଗି ନରେନ୍ଦ୍ର ମୋଦୀଙ୍କ ସରକାର ନିରନ୍ତର ଚେଷ୍ଟା ଚଳାଇଛି। ଭାରତ ସାରା ବିଶ୍ବରେ ଧାନ ଉତ୍ପାଦନରେ ପ୍ରଥମ ହୋଇଛି। ପିଏମ୍ କିସାନ ସମ୍ମାନ ନିଧି ପ୍ରଚଳନ କରି କେନ୍ଦ୍ର ସରକାର ଏଯାଏ ସାଢ଼େ ୧୧ କୋଟି କୃଷକଙ୍କୁ ୨.୨୪ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ୧୧ରୁ ୧୪ତାରିଖ ଯାଏ ୪ ଦିନ ଧରି ଚାଲିବାକୁ ଥିବା ରାଇସ କଂଗ୍ରେସରେ ଦେଶ ବିଦେଶରୁ ପ୍ରାୟ ୩୫୦ ଜଣ କୃଷି ବୈଜ୍ଞାନିକ ମଧ୍ଯ ଯୋଗ ଦେଇଛନ୍ତି। ଫିଲିପାଇନ୍ସ, ଆଫ୍ରିକା ସମେତ କେତେକ ରାଷ୍ଟ୍ରର ବୈଜ୍ଞାନିକ ବି ଯୋଗ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତକୁ ଆଖି ଆଗରେ ରଖି ଡିସିପି ପିନାକ ମିଶ୍ରଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିଭିନ୍ନ ସ୍ଥାନରେ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

 

Breaking News