ରିପୋର୍ଟ କାର୍ଡ / ଅନୁଗୋଳ
ପାଳଲହଡ଼ା ଥାନାରେ ଥାନା ପୋଲିସର ଥାର୍ଡ ଡିଗ୍ରି ଘଟଣାରେ ଏସ୍ଆଇଙ୍କ ସମେତ୩ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସେମାନେ ହେଲେ, ପାଳଲହଡ଼ା ଥାନା ସବ ଇନ୍ସ୍ପେକ୍ଟର ଗୋବିନ୍ଦ ସାହୁ, କନେଷ୍ଟବଳ ଚନ୍ଦନ ମିଶ୍ର ଓ ହୋମଗାର୍ଡ ସୌଭାଗ୍ୟ କମଳ। ସେମାନଙ୍କ ବିରୋଧରେ ଦଫା ୩୨୩, ୫୦୬/୩୪ରେ କେସ ନମ୍ବର ୨୪ରେ ଏକ ମାମଲା ରୁଜ୍ଜୁ ହୋଇଛି। ସୂଚନା ଅନୁସାରେ ପୋଲିସ ନିର୍ଯାତନାର ଶିକାର ହୋଇଥିବା ଯୁବକଙ୍କ ନାଁ ଆଦିତ୍ୟ କୁମାର ବେହେରା। ଘର ଖମାର ଥାନା ଜଗନ୍ନାଥପୁର ଗାଁରେ। ଆଦିତ୍ୟଙ୍କ ସ୍ତ୍ରୀ ମମତା ସେଠୀଙ୍କ ଏତଲା ମୁତାବକ, ତାଙ୍କ ସ୍ୱାମୀ ଆଦିତ୍ୟ ଗତ ୭ତାରିଖ ଦିନ ଧାନ ବିକ୍ରି ଟଙ୍କା ଉଠାଇବାକୁ ଯାଇଥିଲେ। ସମବାୟ ବ୍ୟାଙ୍କରୁ ୩୦ହଜାର ଟଙ୍କା ଉଠାଇ ଥିଲେ। ସେଥିରୁ ୧୦ହଜାର ଟଙ୍କା ଷ୍ଟେଟ୍ ବ୍ୟାଙ୍କର ପାଳଲହଡ଼ା ଶାଖାରେ ଜମା କରି ଘରକୁ ଫେରିଥିଲେ। ତାର କେଇ ଘଣ୍ଟା ପରେ ପାଳଲହଡ଼ା ଥାନା ପୋଲିସ ରାତି ଅଧରେ ଆଦିତ୍ୟଙ୍କୁ ଘରୁ ଉଠାଇ ନେଇଥିଲା। ବ୍ୟାଙ୍କ୍ ନିକଟରେ ଘଟିଥିବା ଏକ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ତାଙ୍କୁ ଜଡିତ କରି ଥାନାରେ ପଚରାଉଚରା କରିଥିଲା। ଥାନା ଏସଆଇ ଶ୍ରୀ ସାହୁ, କନେଷ୍ଟବଳ ଶ୍ରୀ ମିଶ୍ର ଓ ହୋମଗାର୍ଡ ସୌଭାଗ୍ୟ ତାଙ୍କୁ ଚୌକିରେ ବାନ୍ଧି ଓଲଟାଇ ଦେଇଥିଲେ। ବେକଠାରୁ ଗୋଡ଼ ଯାଏ ପିଟିଥିଲେ। ଏମିତି ମାରିଥିଲେ ଆଦିତ୍ୟ ପାଣି ବି ପିଇ ପାରୁ ନାହାନ୍ତି। ଦୋଷ ମାନି ଯିବା ପାଇଁ ଧମକାଇବା ସହିତ ଏକ ସାଦା କାଗଜରେ ଦସ୍ତଖତ କରାଇନେଲେ। ପୋଲିସ ମାଡ଼ରେ ଆଦିତ୍ୟ ଅସୁସ୍ଥ ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ବେଳେ ପୋଲିସ ଧମକରେ ପରିବାର ଲୋକେ ଭୟଭୀତ ହୋଇ ପଡିଛନ୍ତି ବୋଲି ଆଦିତ୍ୟ ଙ୍କ ସ୍ତ୍ରୀ ଏତଲାରେ ଦର୍ଶାଇଥିବା ସୂଚନା ମିଳିଛି|






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..