ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନ୍ର ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ମସ୍କୋ ଗସ୍ତରେ ଆସିବେ | ଏନେଇ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ସୂଚନା ଦେଇଛନ୍ତି। ଚୀନ୍ର ପଦସ୍ଥ କୂଟନୀତିଜ୍ଞ ୱାଙ୍ଗ୍ ୟିଙ୍କୁ କ୍ରେମ୍ଲିନ୍କୁ ସ୍ବାଗତ କରିବା ବେଳେ ପୁଟିନ୍ କହିଛନ୍ତି, ଜିନ୍ପିଙ୍ଗ୍ଙ୍କ ଗସ୍ତକୁ ଚାହିଁବସିଛୁ। ଏଥିପାଇଁ ଦୁଇ ଦେଶ ମଧ୍ୟରେ ବ୍ୟବସ୍ଥା କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ସବୁ ଜିନିଷ ପ୍ରଗତି କରୁଛି, ଉନ୍ନତି କରୁଛି। ଆମେ ନୂତନ ଦିଗନ୍ତରେ ଉପଗତ ହେଉଛୁ। ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୪ ତାରିଖରେ ୟୁକ୍ରେନ୍ ଯୁଦ୍ଧକୁ ବର୍ଷେ ପୂରୁଥିବା ବେଳେ ପୁଟିନ୍ ଉପରୋକ୍ତ ଘୋଷଣା କରିଛନ୍ତି।ସି ଜିନ୍ପିଙ୍ଗ୍ଙ୍କ ଯୋଜନା ସଂକ୍ରାନ୍ତରେ ଅବଗତ ଥିବା ଲୋକମାନଙ୍କ କଥାରୁ ଉଦ୍ଧୃତ କରି ‘ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ରିପୋର୍ଟ କରିଛି, ୟୁକ୍ରେନ୍ରେ ଚାଲିଥିବା ଯୁଦ୍ଧର ଅବସାନ ନିମନ୍ତେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ବେଜିଙ୍ଗ୍ ଚାହୁଁଥିବାରୁ ପୁଟିନ୍ଙ୍କ ସହିତ ତାଙ୍କର ସାକ୍ଷାତ ବହୁପକ୍ଷ ଶାନ୍ତି ଆଲୋଚନାର ଅଂଶବିଶେଷ ହେବ। ଏହାଛଡ଼ା, ଚୀନ୍ ରାଷ୍ଟ୍ରପତିଙ୍କ ଗସ୍ତ ବ୍ୟବସ୍ଥା ପ୍ରାରମ୍ଭିକ ଅବସ୍ଥାରେ ଥିବା ଦୃଷ୍ଟିରୁ ଗସ୍ତ ସମୟ ନିର୍ଦ୍ଧାରଣ କରାଯାଇନାହିଁ। ଦ୍ବିତୀୟ ବିଶ୍ବଯୁଦ୍ଧରେ ଜର୍ମାନ୍ ଉପରେ ବିଜୟ ହାସଲ ପାଳନ ଚାଲିଥିବା ବେଳେ ଏପ୍ରିଲ୍ ଅଥବା ମେ ପ୍ରାରମ୍ଭରେ ସି ଜିନ୍ପିଙ୍ଗ୍ ରୁଷ୍ ଗସ୍ତରେ ଯାଇପାରନ୍ତି। ସି ଜିନ୍ପିଙ୍ଗ୍ଙ୍କ ସମ୍ଭାବ୍ୟ ରୁଷ୍ ଗସ୍ତ ଖବର ଆମେରିକା ପାଇଁ ଚିନ୍ତାର କାରଣ ପାଲଟିଛି। ବୁଧବାର ଦିନ ଆମେରିକାର ବୈଦେଶିକ ବିଭାଗ କହିଛି ଯେ, ଦୁଇ ରାଷ୍ଟ୍ର ମଧ୍ୟରେ ବୃହତ୍ତର ରାଜିନାମା ଆଶଙ୍କା କରି ଆମେରିକା ଚିନ୍ତିତ। ଏହା ରୁଷ୍ ଓ ଚୀନ୍କୁ ଗୋଟିଏ ପଟ କରିବା ବେଳେ ୟୁକ୍ରେନ୍ ଓ ଆମେରିକା ନେତୃତ୍ବାଧୀନ ନାଟୋ ସାମରିକ ମେଣ୍ଟ ରାଷ୍ଟ୍ରମାନଙ୍କୁ ଆଉ ଗୋଟିଏ ପଟ କରି ମୁହାଁମୁହି କରାଇବ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..