Report Card Odisha

| Daily Odia News

ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅତ୍ୟାଧୁନିକ ଓ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅତ୍ୟାଧୁନିକ ଓ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ଭାରତର ପର୍ଯ୍ୟଟନ କ୍ଷମତା ସଂକ୍ରାନ୍ତ ବଜେଟ୍‌ ପରବର୍ତ୍ତୀ ଜାତୀୟ ୱେବିନାରରେ ଉଦ୍‌ବୋଧନ ଦେଇ ଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି । ଭାରତରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ସୁଯୋଗ ଗୁଡ଼ିକ ବିଷୟରେ ଉଲ୍ଲେଖ କରି ସେ ଉପକୂଳ, ହିମାଳୟ ଅଞ୍ଚଳ, ଦୁଃସାହସିକ ପର୍ଯ୍ୟଟନ, ବନ୍ୟଜୀବ, ପରିବେଶ, ଐତିହ୍ୟ, ଆଧ୍ୟାତ୍ମିକ, ବିବାହ ଉତ୍ସବ ଓ କ୍ରୀଡ଼ା ପର୍ଯ୍ୟଟନ ଭଳି ବିଷୟରେ ଅବତାରଣା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତବର୍ଷର ବଜେଟ୍‌ରେ ଭାରତର ଅନେକ ପର୍ଯ୍ୟଟନ ସ୍ଥାନକୁ ଗୁରୁତ୍ୱ ଦିଆଯାଇଛି। ପର୍ଯ୍ୟଟନ ସର୍ବଦା ଭାରତର ସାମାଜିକ ଓ ସାଂସ୍କୃତିକ ସଭ୍ୟତା ସହ ଜଡିତ ଥିବାର ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ଦେଶରେ ଅଧିକ ସୁବିଧା ବ୍ୟବସ୍ଥା ହୋଇପାରିଲେ ପର୍ଯ୍ୟଟକମାନଙ୍କର ସଂଖ୍ୟା ବୃଦ୍ଧି ପାଇବ । ସେ କହିଛନ୍ତି ପରିବହନ ସୁବିଧା ଥିଲେ ଅଧିକ ସଂଖ୍ୟାରେ ପର୍ଯ୍ୟଟକମାନେ ଆସିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ସେ କହିଛନ୍ତି କାଶୀ ବିଶ୍ୱନାଥ ଧାମ, କେଦାରନାଥ ଧାମ ଓ ଅନ୍ୟାନ୍ୟ ଧାର୍ମିକ ସ୍ଥଳୀଗୁଡ଼ିକ ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ । ଶ୍ରୀ ମୋଦୀ କହିଛନ୍ତି କାଶୀ ବିଶ୍ୱନାଥ ଧାମର ପୁର୍ନନିର୍ମାଣ ପୂର୍ବରୁ ସେଠାକୁ ବାର୍ଷିକ ୮୦ଲକ୍ଷ ଲୋକ ଯାଉଥିଲେ; କିନ୍ତୁ ବର୍ତ୍ତମାନ ସେଠାକୁ ବାର୍ଷିକ ୭କୋଟିରୁ ଅଧିକ ଲୋକ ଯାଉଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ପର୍ଯ୍ୟଟନର ବିକାଶ ପାଇଁ ମୌଳିକ ସୁବିଧା, ଡିଜିଟାଲ ସଂଯୋଗ ବ୍ୟବସ୍ଥା, ସ୍ୱଚ୍ଛତା ଓ ଉତ୍ତମ ଭିତ୍ତିଭୂମି ମୁଖ୍ୟ ବିଷୟ। ପର୍ଯ୍ୟଟକମାନଙ୍କର ଆଗମନ ସହ ନିଯୁକ୍ତି ସୁଯୋଗ ବୃଦ୍ଧିପାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗ୍ରାମଗୁଡ଼ିକ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ହୋଇଥିବା ବିଷୟ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦୂରଦୁରାନ୍ତ ଗ୍ରାମଗୁଡ଼ିକ ବର୍ତ୍ତମାନ ପର୍ଯ୍ୟଟନ ନକ୍ସାରେ ସ୍ଥାନ ପାଇଛି। ସେଗୁଡ଼ିକରେ ଭିତ୍ତିଭୂମିରେ ବିକାଶ ଯୋଗୁଁ ଏହା ସମ୍ଭବ ହୋଇଛି। ସେ କହିଛନ୍ତି କେନ୍ଦ୍ର ସରକାର ଗ୍ରାମଗୁଡ଼ିକର ବିକାଶ ପାଇଁ ‘ଭାଇବ୍ରାଣ୍ଟ ଭିଲେଜ୍‌ ସ୍କିମ୍‌’ ଆରମ୍ଭ କରିଛନ୍ତି । ଏହି ଯୋଜନାରେ ସୀମାନ୍ତ ଇଲାକାର ଗ୍ରାମ ଗୁଡ଼ିକର ବିକାଶ କରାଯାଉଛି । ସେଠାରେ ଛୋଟ ଛୋଟ ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ସ୍ଥାପନ କରାଯାଉଛି ।
ଭାରତକୁ ବିଦେଶୀ ପର୍ଯ୍ୟଟକମାନଙ୍କର ଆଗମନ ବୃଦ୍ଧି ପାଉଥିବା ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଅଧିକ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନିଆଯିବା ଆବଶ୍ୟକ । ଅତ୍ୟାଧୁନିକ ସୁବିଧାଯୁକ୍ତ ୫୦ଟି ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ସେ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକ ବିଷୟରେ ଉଲ୍ଲେଖ ଥିବା ଆପ୍‌ ଗୁଡ଼ିକର ବିକାଶ କରାଯିବା ଉଚିତ। ସେଗୁଡ଼ିକୁ ସମସ୍ତ ଭାରତୀୟ ଭାଷାରେ ଉପଲବ୍ଧ ହେବା ପାଇଁ ଧାନମନ୍ତ୍ରୀ  ମୋଦୀ କହିଛନ୍ତି । ସ୍କୁଲ, କଲେଜ ଗୁଡ଼ିକର ବିଦ୍ୟାର୍ଥୀମାନେ ଦେଶର ଉତ୍ତର ପୂର୍ବାଞ୍ଚଳକୁ ଗସ୍ତ କରିବା ଉଚିତ୍‌ ବୋଲି ଦର୍ଶାଇ ସେ କହିଛନ୍ତି ଏହାଦ୍ୱାରା ଅଧିକରୁ ଅଧିକ ଲୋକ ସେହି ଅଞ୍ଚଳ ଉପରେ ଅବଗତ ହୋଇପାରିବେ ।

Breaking News