ରିପୋର୍ଟ କାର୍ଡ / କଟକ
ଓଡିଶା ପିଲା ଉତ୍ତରପ୍ରଦେଶ, ଝାଡ଼ଖଣ୍ଡରେ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ପୁଣି ଓଡ଼ିଆରେ ୯୦/୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବାର ସାର୍ଟିଫିକେଟ ଆଣି ଚାକିରି ପାଇଁ ଦାଖଲ କରୁଛନ୍ତି। ଡାକ ବିଭାଗରେ ଜାଲ୍ ମାର୍କସିଟ୍ର ଗୁମର ଧୀରେ ଧୀରେ ଫିଟୁ ଥିବା ବେଳେ ପ୍ରାୟ ଅଧିକାଂଶ ସାର୍ଟିଫିକେଟ ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ବୋର୍ଡର ବୋଲି ଜଣା ପଡିଛି। ଯଦିଓ କଟକ ସିଟି ଡିଭିଜନ ଓ ସାଉଥ୍ ଡିଭିଜନ୍ରେ ୨ଟି ଜାଲ୍ ସାର୍ଟିଫିକେଟ ଧରା ପଡିଛି ଏବଂ ୬ଟି ଯାଞ୍ଚ ପାଇଁ ଯାଇଛି କିନ୍ତୁ ଚୂଡାନ୍ତ ପର୍ଯ୍ୟାୟକୁ ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରୁ ୫୦ଜଣ ସାର୍ଟିଫିକେଟ୍ ଯାଞ୍ଚ ପାଇଁ ନ ଆସିବା ଘଟଣା ସନ୍ଦେହର କାରଣ ହୋଇଛି। ସବୁ ସାର୍ଟିଫିକେଟ ଯାଞ୍ଚ କରି ଆବେଦନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ରାକେଟର ପର୍ଦ୍ଦାଫାସ କରିବାକୁ ଦାବି ହେଉଛି। କିନ୍ତୁ, ସଂପୂର୍ଣ୍ଣ ପ୍ରକ୍ରିୟା ସନ୍ଦେହଜନକ ହୋଇଥିବା ବେଳେ ଏ ଦିଗରେ ପୁଲିସ ସେହିଭଳି ତ୍ବରାନ୍ବିତ ଢଙ୍ଗରେ ପଦକ୍ଷେପ ନ ନେବା ଘଟଣା ଉଦ୍ବେଗର କାରଣ ହୋଇଛି। ନିଯୁକ୍ତି ପାଇଁ ଆସିଥିବା ଜଣେ ପ୍ରାର୍ଥୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ବୋଲି ପ୍ରମାଣପତ୍ର ଦେଇଥିଲେ ବି ଇଂରାଜୀରେ ଦରଖାସ୍ତ ଲେଖି ନ ପାରି ସାର୍ଟିଫିକେଟ ଛାଡ଼ି ପଳାଇବା ଘଟଣା ସଂପୂର୍ଣ୍ଣ ପ୍ରକ୍ରିୟାକୁ ସନ୍ଦେହ ସୃଷ୍ଟି କରିଛି | ୨୦୨୨ ବର୍ଷ ପାଇଁ କଟକ ସିଟି ଡିଭିଜନରେ ୨୯ଟି ପଦ ପୂରଣ ପାଇଁ ୨୯ଜଣଙ୍କୁ ଚୟନ କରାଯାଇଥିଲା । କିନ୍ତୁ, ଯାଞ୍ଚ ପାଇଁ ମାତ୍ର ୧୪ ଜଣ ଆସିଥିଲେ। ସେହିପରି ସାଉଥ୍ ଡିଭିଜନ୍ରେ ୨ଟି ଜାଲ୍ ସାର୍ଟିଫିକେଟ ଧରା ପଡିଥିବା ବେଳେ ୬ଟି ଜାଲ ସାର୍ଟିଫିକେଟ୍କୁ ଯାଞ୍ଚ ପାଇଁ ଝାଡ଼ଖଣ୍ଡ ପଠାଯାଇଛି। ସାଉଥ ଡିଭିଜନରେ ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ୬୧ ଜଣଙ୍କ ମଧ୍ୟରୁ ୩୫ ଜଣ ସାର୍ଟିଫିକେଟ ଯାଞ୍ଚ ପାଇଁ ନ ଆସିବା ଘଟଣା ସନ୍ଦେହ ସୃଷ୍ଟି କରୁଛି।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….