Report Card Odisha

| Daily Odia News

ପ୍ରତି ବ୍ଲକରେ ପ୍ରତିଷ୍ଠା ହେବ ‘ଆମ ବସଷ୍ଟାଣ୍ଡ’…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ‘ଲକ୍ଷ୍ମୀ’ ଯୋଜନା ଆରମ୍ଭ କରାଯିବ । ଏ ବାବଦରେ ଗତ ମାସରେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ଯୋଜନାରେ ଗାଁ ଗାଁରେ ସରକାରୀ ଗାଡ଼ି ପହଞ୍ଚିବ । ୨୦୨୩-୨୪ ବର୍ଷ ପାଇଁ ସରକାର ଏଥିପାଇଁ ୧୦୦ କୋଟି ବ୍ୟୟବରାଦ କରିଛନ୍ତି । ତେବେ ଏହି ଯୋଜନାର ଅଗ୍ରଗତି ସ୍ୱରୂପ ବିଭାଗ ପକ୍ଷରୁ ଜିଲ୍ଲା, ଉପଖଣ୍ଡସ୍ତରୀୟ ଓ ବ୍ଲକସ୍ତରୀୟ କମିଟି ଗଠନ କରାଯାଇଛି । ଜିଲ୍ଲାସ୍ତରୀୟ ଆମ ବସଷ୍ଟାଣ୍ଡ ନୋଡାଲ କମିଟିରେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଅଧ୍ୟକ୍ଷ ରହିଥିବା ବେଳେ ଆରକ୍ଷୀ ଅଧିକ୍ଷକ ଉପାଧ୍ୟକ୍ଷ ରହିଛନ୍ତି । ବ୍ଲକ ଓ ଉପଖଣ୍ଡସ୍ତରୀୟ କମିଟିର ଅଧ୍ୟକ୍ଷ, ଆଞ୍ଚଳିକ ପରିବହନ ଅଧିକାରୀ, ଓଏସଆରଟିସି ପ୍ରତିନିଧି, ଜିଲ୍ଲାପାଳ ମନୋନୀତ କରିଥିବା ଦୁଇଜଣ ସଦସ୍ୟ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଜଣେ ସଦସ୍ୟଙ୍କ ସହିତ ଘରୋଇ ବସ ମାଲିକ ସଂଘର ଜଣେ ପ୍ରତିନିଧି ଉକ୍ତ କମିଟିରେ ସଦସ୍ୟ ରହିବେ । ଉପଖଣ୍ଡସ୍ତରୀୟ କମିଟିର ଅଧ୍ୟକ୍ଷ ଉପଜିଲ୍ଲାପାଳ ଓ ଉପାଧ୍ୟକ୍ଷ ଏସଡିପିଓ ରହିବେ । ବ୍ଲକସ୍ତରୀୟ କମିଟିର ଅଧ୍ୟକ୍ଷ ଦାୟିତ୍ୱ ବିଡିଓ ସମ୍ଭାଳିବେ ଓ ଉପାଧ୍ୟକ୍ଷ ଦାୟିତ୍ୱ ସ୍ଥାନୀୟ ଥାନାଧିକାରୀ ସମ୍ଭାଳିବେ। ତେବେ ଲୋକେସନ ଆକ୍ସେସିବଲ ମଲ୍ଟିମୋଡାଲ ଇନିସିଏଟିଭ୍ (ଏଲଏସିସିଏମଆଇ) ବା ଲକ୍ଷ୍ମୀ କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବ। ରାଜ୍ୟର ସ୍ୱାସ୍ଥ୍ୟକେନ୍ଦ୍ର, ବାଣିଜ୍ୟିକ କେନ୍ଦ୍ର, ବସ୍, ରେଳ ଷ୍ଟେସନ ଓ ଶିକ୍ଷାନୁଷ୍ଠାନ ପାଇଁ ଗାଁରୁ ସହର ପର୍ଯ୍ୟନ୍ତ ନିରବିଚ୍ଛିନ୍ନ ଭାବେ ଯାତାୟତର ସୁଯୋଗ ସୃଷ୍ଟି କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତି ବ୍ଲକରେ ଅତିକମରେ ଗୋଟିଏ ଲେଖାଏଁ ଆଧୁନିକ ଓ ଦୀର୍ଘସ୍ଥାୟୀ ବସ୍ ଷ୍ଟାଣ୍ଡ ନିର୍ମାଣ କରାଯିବ । ଏହି ବସଷ୍ଟାଣ୍ଡର ସବୁପ୍ରକାରର ସୁବିଧା ରହିବା ସହ ବସ କର୍ମଚାରୀ ଓ ଯାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇ ପାରିବେ । ଫଳରେ ରାଜ୍ୟ ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି କୃଷି, ଶିଳ୍ପ, ଜୀବିକା, ପର୍ଯ୍ୟଟନ କ୍ଷେତ୍ରରେ ବେଶ୍ ଲାଭବାନ ହୋଇପାରିବ । ଏଥିସହିତ ସହର ଓ ଗ୍ରାମାଞ୍ଚଳ ସହିତ ପରିବହନ ବ୍ୟବସ୍ଥା ମଜବୁତ ହେବା ସହିତ ରାସ୍ତା ଓ ସେତୁ ନିର୍ମାଣ, ମରାମତି କାର୍ଯ୍ୟର ମଧ୍ୟ ଅଗ୍ରଗତି ହୋଇପାରିବ ।

 

Breaking News