ରିପୋର୍ଟ କାର୍ଡ / ଭୁବନେଶ୍ବର
ଘରୋଇ ଏବଂ ବୈଶ୍ୱିକ ନିବେଶକଙ୍କ ପାଇଁ ନିବେଶର ଗନ୍ତବ୍ୟସ୍ଥଳ ହେବା ନିମନ୍ତେ ଓଡ଼ିଶା ରାଜ୍ୟ ସରକାର ବୟନ, ପୋଷାକ ଏବଂ ବୈଷୟିକ-ବୟନ ଶିଳ୍ପ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇ ଚଳିତ ମାସ ୧୭ ଅର୍ଥାତ ଆଜିକୁ ଓ ୧୮ ତାରିଖରେ ବେଙ୍ଗାଲୁରୁଠାରେ ‘ଓଡ଼ିଶା ନିବେଶକ ସମ୍ମିଳନୀ’ ଆୟୋଜନ କରିବାକୁ ଯାଉଛନ୍ତି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଏକ ବରିଷ୍ଠ ପ୍ରତିନିଧି ଦଳ, ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏହି ବୈଠକରେ ଯୋଗଦେବେ। ମେ’ ୧୭ ତାରିଖରେ ବେଙ୍ଗାଲୁରୁର ହୋଟେଲ ‘ତାଜ ୱେଷ୍ଟ ଏଣ୍ଡ’ ରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ ଅନୁଷ୍ଠିତ ହେବ, ଯାହାକୁ ଓଡ଼ିଶା ସରକାର ଆୟୋଜନ କରି କର୍ଣ୍ଣାଟକ ଏବଂ ଆଖପାଖ ରାଜ୍ୟର ସମ୍ଭାବ୍ୟ ନିବେଶକମାନଙ୍କୁ ସାମିଲ କରିବେ । ନିକଟରେ ଓଡ଼ିଶା ସରକାର ‘ଓଡ଼ିଶା ଶିଳ୍ପ ନୀତି ସଂକଳ୍ପ ୨୦୨୨’ ଏବଂ ଓଡ଼ିଶା ପୋଷାକ ଓ ବୈଷୟିକ ବୟନ ଶିଳ୍ପ ନୀତି ୨୦୨୨ ଆଣିଛନ୍ତି, ଯେଉଁଥିରେ ନିବେଶକଙ୍କୁ ବ୍ୟାପକ ପ୍ରୋତ୍ସାହନ ଓ ସର୍ବୋତ୍ତମ ସୁବିଧା ପ୍ରଦାନର ବ୍ୟବସ୍ଥା ରହିଛି । ଗସ୍ତ କରୁଥିବା ଏହି ପ୍ରତିନିଧି ଦଳ ରାଜ୍ୟରେ ଥିବା ବିଭିନ୍ନ ତଥା ଆଗାମୀ ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଇବା ସହ ଓଡ଼ିଶାକୁ ଟେକ୍ସଟାଇଲ୍ ଓ ଆପାରେଲ ହବ୍ ରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକୁ ପ୍ରଦର୍ଶିତ କରିବେ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..