ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ପ୍ରମୁଖ ଆତଙ୍କୀ ଗୋଷ୍ଠୀ ଲସ୍କର-ଏ-ତୋଇବା, ଜୈଶ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ମେ ୧୫ରୁ ୨୦ ଭିତରେ ଶ୍ରୀନଗର ଓ କାଶ୍ମୀରରେ ବଡ଼ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଯୋଜନା କରିଥିଲେ। ଏହି ସଂଗଠନଗୁଡ଼ିକ ପକ୍ଷରୁ ରାଓଲପିଣ୍ଡିରେ ଏକ ବୈଠକ ହୋଇଥିଲା। ଏଥିରେ ପାକିସ୍ତାନର କୁଖ୍ୟାତ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ମଧ୍ୟ ଅଂଶ ଗ୍ରହଣ କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଯୋଜନାକୁ ସଫଳ କରିବା ପାଇଁ ଦକ୍ଷିଣ ପୀର ପଞ୍ଜାଲ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ ମଧ୍ୟ ଆରମ୍ଭ ହୋଇଥିବା ରିପୋର୍ଟରେ କୁହାଯାଇଛି। ବୈଠକରେ ଭାରତର ସୁରକ୍ଷା କର୍ମୀଙ୍କ ଗାଡ଼ି ଉପରେ ‘ଫିଦାୟୀଁ’ ଆକ୍ରମଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଭାରତରେ ଜି-୨୦ ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ଦିଲ୍ଲୀରେ ମଧ୍ୟ ଆକ୍ରମଣ କରିବାକୁ ଯୋଜନା କରାଯାଇଥିଲା। ମନିହାଲରୁ କାଜିକୁଣ୍ଡ ଯିବା ବାଟରେ ଭାରତୀୟ ସୁରକ୍ଷା ବଳ ଉପରେ ଗେନେଡ୍ ମାଡ଼ କରିବାକୁ ଯୋଜନା ହୋଇଥିଲା। ଏଥି ସହ, ମିଳିଥିବା ସୂଚନା ଅନୁସାରେ, ଜନୈକ ଆତଙ୍କବାଦୀ ଫାରୁକ ଅହମଦ ଭଟ୍ଟ ଅନ୍ୟ ଦୁଇଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ହାଇବ୍ରିଡ୍ ଆତଙ୍କବାଦୀଙ୍କ ସହାୟତାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ତେବେ ଭାରତୀୟ ସୁରକ୍ଷା ବଳ ପକ୍ଷରୁ ତତ୍ପରତା ପ୍ରଦର୍ଶନ ପୂର୍ବକ ସେମାନଙ୍କ ଉଦ୍ୟମକୁ ପଣ୍ଡ କରାଯାଇଥିଲା। ଖବର ଅନୁସାରେ, ଆତଙ୍କବାଦୀମାନେ ଜି-୨୦ ଡ୍ୟୁଟିରେ ନିୟୋଜିତ ସରକାରୀ କର୍ମଚାରୀ ଓ ସୈନିକଙ୍କ ବିଷୟରେ ଖବର ସଂଗ୍ରହରେ ଲାଗିଛନ୍ତି। ଲସ୍କର ଓ ଟିଆର୍ଏଫ୍କୁ ପାକିସ୍ତାନ ଏହି ଦାୟିତ୍ବ ଅର୍ପଣ କରିଛି। କାଶ୍ମୀରରେ ହେବାକୁ ଥିବା ଜି-୨୦ ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ପାକିସ୍ତାନ ବଡ଼ବଡ଼ ସ୍କୁଲ ତଥା ଅଣ-ସ୍ଥାନୀୟ ସ୍ତରରେ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନଙ୍କୁ ଆଦେଶ ଦେଇଛି। ତେବେ ଭାରତୀୟ ବଳ ପାକିସ୍ତାନର ଏହି ଯୋଜନାକୁ ଜାଣିପକାଇବା ପରେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ଲୋଲାବ ଓ ହଣ୍ଡୱାରା ପ୍ରଭୃତି ଅଞ୍ଚଳରେ ସୁରକ୍ଷା କର୍ମୀ ସଦା ଜାଗ୍ରତ ରହିଛନ୍ତି। ଭାରତୀୟ ସୁରକ୍ଷା ବଳ ପାଇଥିବା ସୂଚନା ଅନୁସାରେ, ପାକିସ୍ତାନ ପ୍ରାୟ ୬୦ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଯୋଜନା ପ୍ରସ୍ତୁତ କରିଛି। ପାକିସ୍ତାନର ଲିପା ଅଞ୍ଚଳର କୁଖ୍ୟାତ ଆତଙ୍କବାଦୀ ଖାନ ବାବାକୁ ପାକିସ୍ତାନ ଏହି ଦାୟିତ୍ବ ଦେଇଛି। ଖାନ ବାବା ହେଉଛି ହିଜବୁଲ ମୁଜାହିଦ୍ଦିନର କୁଖ୍ୟାତ ଆତଙ୍କବାଦୀ ଓ କମାଣ୍ଡର।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..