ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁର ହିଂସା ଘଟଣାର ତଦନ୍ତ କରୁଥିବା ସ୍ବତନ୍ତ୍ର ‘ସିବିଆଇ’ଟିମ୍ର ତତ୍ତ୍ବାବଧାନ ନିମନ୍ତେ କେନ୍ଦ୍ର ସରକାର ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଥିବା କଥା ଆଜି ଇମ୍ଫାଲ୍ରେ ସାମ୍ବାଦିକ ସମ୍ମିଳନୀ ଡକାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ଶାହ କହିଛନ୍ତି, ହିଂସା ଘଟଣା ତଦନ୍ତ ନିମନ୍ତେ ମଣିପୁରରେ କେତେଗୁଡ଼ିଏ ଏଜେନ୍ସି କାମ କରୁଛନ୍ତି। ଷଡ଼ଯନ୍ତ୍ରର ଆଭାସ ଦେଉଥିବା ୬ଟି ହିଂସା ଘଟଣାର ଉଚ୍ଚସ୍ତରୀୟ ‘ସିବିଆଇ’ ତଦନ୍ତ କରାଯିବ। ତଦନ୍ତରେ ନିରପେକ୍ଷତା ରହିବ ବୋଲି ଆମେ ସୁନିଶ୍ଚିତ ରହିବୁ। ‘ସିଭିଲ୍ ସୋସାଇଟି’ ସଦସ୍ୟମାନଙ୍କୁ ନେଇ ଗଠନ ହେବାକୁ ଥିବା ଶାନ୍ତି କମିଟିର ମୁଖ୍ୟ ହେବେ ମଣିପୁରର ରାଜ୍ୟପାଳ। ସଂଘର୍ଷରେ ପ୍ରଭାବିତ ହୋଇଥିବା ବ୍ୟକ୍ତିଙ୍କ ନିମନ୍ତେ ‘ରିଲିଫ୍’ ଓ ପୁନଃଥଇଥାନ ବ୍ୟବସ୍ଥା କରାଯାଇଛି। ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମୀୟଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରିବେ ବୋଲି ଶାହ କହିଛନ୍ତି। ସେହିପରି, ହିଂସାକାଣ୍ଡରେ ଆହତ ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ନିମନ୍ତେ କେନ୍ଦ୍ର ସରକାର ୨୦ଜଣ ଡାକ୍ତରଙ୍କ ସମେତ ୮ଟି ‘ମେଡିକାଲ୍ ଏକ୍ସପର୍ଟ’ ଟିମ୍ ପଠାଇଛନ୍ତି। ୫ଟି ଟିମ୍ ମଣିପୁରରେ ପହଞ୍ଚି ସାରିଛନ୍ତି ଓ ବାକି ୩ଟି ଟିମ୍ ଆସୁଛନ୍ତି ବୋଲି ସେ କହିଛନ୍ତି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..