ରିପୋର୍ଟ କାର୍ଡ / ଭୁବନେଶ୍ବର
କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ୧୬ ରାଜ୍ୟ ପାଇଁ ୫୬,୪୧୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ‘ପୁଞ୍ଜି ନିବେଶ ପାଇଁ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ସହାୟତା ଯୋଜନା-୨୦୨୩-୨୪’ ଅଧୀନରେ ଏହି ଅନୁମୋଦନ ମିଳିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ପୁଞ୍ଜି ନିବେଶ ନିମନ୍ତେ ୪ ହଜାର ୫୨୮ କୋଟି ଟଙ୍କା ପ୍ରଦାନ ବ୍ୟବସ୍ଥା କରାଯାଇଛି। ବିହାରକୁ ସର୍ବାଧିକ ୯୬୪୦ କୋଟି ଏବଂ ଗୋଆକୁ ୩୮୬ କୋଟି ଟଙ୍କା ପ୍ରଦାନ ଲାଗି ବ୍ୟବସ୍ଥା ହୋଇଛି। ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ଜଳ ଯୋଗାଣ, ବିଦ୍ୟୁତ ଶକ୍ତି, ସଡ଼କ, ସେତୁ ଏବଂ ରେଳ ଆଦି ସମେତ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ଜଳ ଜୀବନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ରାଜ୍ୟ ଭାଗ ପୂରଣ ପାଇଁ ମଧ୍ୟ ଏହି ଯୋଜନାରେ ପାଣ୍ଠି ଯୋଗାଇ ଦିଆଯାଇଛି। ଫଳରେ ଏସବୁ ଯୋଜନା ସହ ଜଡ଼ିତ ପ୍ରକଳ୍ପଗୁଡ଼ିକର କାମ ତ୍ୱରାନ୍ୱିତ ହୋଇପାରିବ। ପୁଞ୍ଜି ବ୍ୟୟର ଉଚ୍ଚ ବହୁଗୁଣିତ ପ୍ରଭାବକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟଗୁଡ଼ିକ ଦ୍ୱାରା ପୁଞ୍ଜି ବ୍ୟୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦୨୩-୨୪ ସାଧାରଣ ବଜେଟ୍ରେ ‘ପୁଞ୍ଜି ନିବେଶ ପାଇଁ ରାଜ୍ୟଙ୍କୁ ସ୍ୱତନ୍ତ୍ର ସହାୟତା ଯୋଜନା-୨୦୨୩-୨୪’ର ଘୋଷଣା କରାଯାଇଥିଲା। ଏହି ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କୁ ୫୦ ବର୍ଷର ସୁଧମୁକ୍ତ ଋଣ ଆକାରରେ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ସହାୟତା ଯୋଗାଇ ଦିଆଯାଉଛି। ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବମୋଟ୍ ୧.୩ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନାର ଆଠଟି ଭାଗ ରହିଛି, ପ୍ରଥମ ଭାଗରେ ୧ ଲକ୍ଷ କୋଟି ଟଙ୍କାର ସର୍ବାଧିକ ଅର୍ଥ ଆବଣ୍ଟନ କରାଯାଇଛି। ଏହି ପରିମାଣ ପଞ୍ଚଦଶ ଅର୍ଥ ଆୟୋଗଙ୍କ ବରାଦ ଅନୁଯାୟୀ, କେନ୍ଦ୍ରୀୟ ଟିକସ ଓ ଶୁଳ୍କ ଭାଗ ଆକାରରେ ରାଜ୍ୟଙ୍କୁ ଆବଣ୍ଟନ କରାଯାଇଛି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……