ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ଅଗ୍ରଣୀ ନୃତ୍ୟାନୁଷ୍ଠାନ ସାଇ ଆରାଧନା ଡ୍ୟାନ୍ସ ଏକାଡେମୀ ଆନୁକୁଲ୍ୟରେ ତୃତୀୟ ଜାତୀୟ ସ୍ତରୀୟ ନୃତ୍ୟ ମହୋତ୍ସବ ନୃତ୍ୟ ମୋହିନୀ ୨୦୨୩ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଉତ୍କଳ ରଂଗମଞ୍ଜ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କର ଓଡିଆ ଭାଷା, ସାହିତ୍ୟ ତଥା ସଂସ୍କୃତି ବିଭାଗର ସହଯୋଗିତାରେ ଏକାଡେମୀର ସଂପାଦକ ତଥା ମହୋତ୍ସବ ନିର୍ଦ୍ଦେଶକ ନୃତ୍ୟଗୁରୁ ପ୍ରଜ୍ଞା ପ୍ରିୟଦର୍ଶିନୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉଦ୍ଘାଟନୀ ଉତ୍ସବରେ ଚାର୍ଟାଡ ଆକାଉଟାଣ୍ଟ ରମେଶ ଚନ୍ଦ୍ର ଦାସ, ଉଦ୍ୟୋଗୀ ତଥା ସାମାଜିକ କର୍ମୀ ବ୍ରହ୍ମାନନ୍ଦ ମଙ୍ଗରାଜ, ଆରକେଡି କନ୍ଷ୍ଟ୍ରକସନ୍ର ବରିଷ୍ଠ ପରିଚାଳକ ସତ୍ୟବ୍ରତ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ଏହା ପରେ ଦିନ ତମାମ ରାଜ୍ୟ ତଥା ରାଜ୍ୟ ବାହାରର ୨୦୦ ରୁ ଉର୍ଦ୍ଧ୍ୱ ନୃତ୍ୟ ପ୍ରତିଭା ସେମାନଙ୍କ କଳାନୈପୁଣ୍ୟ ଶାସ୍ତ୍ରୀୟ. ଅର୍ଦ୍ଧଶାସ୍ତ୍ରୀୟ, ଲୋକ ଓ ପାରମ୍ପାରିକ ନୃତ୍ୟ ୫୦ରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଷଣ କରିଥିଲେ । ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ଲକ୍ଷରେ ସମସ୍ତ ପ୍ରତିଯୋଗୀ ତଥା ସେମାନଙ୍କ ମାଗଦର୍ଶକ ଗୁରୁବୃନ୍ଦଙ୍କୁ ପ୍ରତ୍ୟେକ ପ୍ରଦର୍ଶନ ପରେ ଉପଢୌକନ, ମାନପତ୍ର, ଫଳକ, ପୁଷ୍ପଗୁଚ୍ଛ ଦିଆଯାଇ ଏକାଡେମୀ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ସଂଧ୍ୟାରେ ଆୟୋଜିତ ଏକ ମନୋରମ ଉଦ୍ଯାପନୀ ଉତ୍ସବରେ ବରିଷ୍ଠ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ, ଭାରତୀୟ ଷ୍ଟେଟବ୍ୟାଙ୍କର ବରିଷ୍ଠ ସହ ପରିଚାଳକ ତଥା ଅଭିନେତା ଅମରେଶ ଦାସ, ବିଶିଷ୍ଟ ନୃତ୍ୟଗୁରୁ ନାରାୟଣ ପାଣ୍ଡେ, ସମାଜସେବୀ ମନୋଜ କୁମାର ସାହୁ ପ୍ରମୁଖ ଅତିଥିରୂପେ ଯୋଗଦେଇ ମହୋତ୍ସବର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିବୃନ୍ଦ ଦେଶ ବିଦେଶରେ ଓଡିଶୀ ଓ ଛଉ ନୃତ୍ୟର ପ୍ରଚାର ପ୍ରସାର କରିଆସୁଥିବା ଇଟାଲୀ ଜନ୍ମିତ ସୁନାମଧନ୍ୟ ଓଡିଶୀ ନୃତ୍ୟାଙ୍ଗନା ଗୁରୁ ଇଲିଆନା ସେଟାରିଷ୍ଟଙ୍କୁ ଜୀବନ ବ୍ୟାପୀ ସାଧନା ପାଇଁ ଉପଢୌକନ, ମାନପତ୍ର, ପୁଷ୍ପଗ୍ୁଚ୍ଛ ସହ ସମ୍ମାନ ଜନକ ନୃତ୍ୟ ମୋହିନୀ ସମ୍ମାନ-୨୦୨୩ ପ୍ରଦାନ କରିବା ସହ ଏକାଡେମୀର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏକାଡେମୀର ସଭାପତି ଶ୍ରୀ ରଞ୍ଜନ ପ୍ରସାଦ ଦାସ ଓ କର୍ମକର୍ତ୍ତାବୃନ୍ଦ, ନୀଳାଦ୍ରି ବିହାର ଯୁବ ଓ ସାଂସ୍କୃତିକ ସଂଘର ସଭାପତି ତଥା ଶିକ୍ଷାବିତ୍ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ କଳା ଶିକ୍ଷକ ସପନ କୁମାର ଗିରି, ଗବେଷଣା କେନ୍ଦ୍ରର ଅଧିକାରୀ ତଥା କର୍ମକର୍ତ୍ତାବୃନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ଦାସ ଏବଂ ଶେଷଦେବ ଓଝା ଉପସ୍ଥାପନା କରିଥିଲେ । ଏକାଡେମୀ ତରଫରୁ ସମସ୍ତ ଅତିଥି, ପ୍ରତିଯୋଗୀ, ଅଭିଭାବକ, ପ୍ରଯୋଜକ ତଥା ସହଯୋଗୀବୃନ୍ଦଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା ।






More Stories
ବଙ୍ଗାଳୀ ଶ୍ରମିକଙ୍କୁ ହତ୍ୟା ,୬ ଗିରଫ…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..
କାର୍କୁ ଘୋଷାଡ଼ି ନେଲା ଟ୍ରକ…..