ରିପୋର୍ଟ କାର୍ଡ / ଭୁବନେଶ୍ୱର
ଷଷ୍ଠ ଥର ପାଇଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ କାର୍ଯ୍ୟ ଦିବସ, ପରୀକ୍ଷା ଆରମ୍ଭ, ଶେଷ, ଫଳ ପ୍ରକାଶ, ପୂଜା ଛୁଟି ନେଇ ସବିଶେଷ ତଥ୍ୟ ରହିଛି। ମାତ୍ର କେବଳ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ ନାହିଁ। ଚଳିତ ଶିକ୍ଷାବର୍ଷରେ ୧୮୦ ଦିନ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ ଏବଂ ରବିବାର ବ୍ୟତୀତ ୭୨ଟି ଛୁଟି ଦିବସ ରହିଛି। ୨୦୨୪ ମେ’ ୫ରୁ ଜୁନ୍ ୧୯ ମଧ୍ୟରେ ଗ୍ରୀଷ୍ମ ଛୁଟି ହେବ। ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଏକକ ଶିକ୍ଷା କ୍ୟାଲେଣ୍ଡର କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂଜା ଛୁଟି ଅକ୍ଟୋବର ୨୧ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ତେଣୁ ଏଥିରୁ ସ୍ପଷ୍ଟ ଚଳିତ ବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ଛାତ୍ର ସଂସଦ ନିର୍ବାଚନ କରାଇବାକୁ ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନ ଦାବି କରି ଆସୁଥିବା ବେଳେ ଏହାକୁ ଖାତିର କରୁ ନାହାନ୍ତି ରାଜ୍ୟ ସରକାର । ୨୦୧୮ ମସିହାରୁ କଲେଜ କ୍ୟାମ୍ପସରେ ନିର୍ବାଚନକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ନିର୍ବାଚନ ହେଲେ ପାଠପଢ଼ା ବନ୍ଦ ରହୁଥିବା ବେଳେ କ୍ୟାମ୍ପସରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ଏଥିସହ ହିଂସାକାଣ୍ଡ ବି ବଢ଼ୁଛି। ସେଥିପାଇଁ ରାଜ୍ୟ ସରକାର ନିର୍ବାଚନ ବନ୍ଦ ନେଇ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
କଟକରେ ଗାଡି ଜଳିବା ଘଟଣା :ନିଆଁ ଲଗାଇଥିଲେ ମହିଳା…..
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..