ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଚାର ବେଳେ ଓକିଲମାନଙ୍କଠାରୁ ବାରମ୍ବାର ‘ମାଇଁ ଲର୍ଡ’ ଓ ‘ୟୋର୍ ଲର୍ଡସିପ୍’ କୁହାଯାଇଥାଏ | ଏହାକୁ ଶୁଣି ଶୁଣି ବିରକ୍ତ ହୋଇଯାଇଥିବା ସୁପ୍ରିମ୍ କୋର୍ଟର ଜଣେ ବିଚାରପତି ଓକିଲଙ୍କୁ କହିଲେ, ଯଦି ‘ମାଇଁ ଲର୍ଡ’ ନ କହିବେ ଆପଣଙ୍କୁ ମୋ ଦରମାରୁ ଅଧେ ଦେବି। ସୂଚନା ଅନୁସାରେ, ବୁଧବାର ଦିନ ଅଦାଲତରେ ସ୍ବାଭାବିକ ଶୁଣାଣି ଚାଲିଥିବା ବେଳେ ବିଚାରପତି ଏ.ଏସ୍. ବୋପନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ବସିଥିବା ବିଚାରପତି ପି. ଏସ୍. ନରସିଂହ ଜଣେ ବରିଷ୍ଠ ଓକିଲଙ୍କୁ କହିଲେ, କେତେ ଥର ‘ମାଇଁ ଲର୍ଡ’ କହିବେ? ଯଦି ଆଉ ‘ମାଇଁ ଲର୍ଡ’ ନ କହିବେ ତେବେ, ମୁଁ ମୋ ଦରମାରୁ ଆପଣଙ୍କୁ ଅଧେ ଦେଇ ଦେବି। ଉଲ୍ଲେଖଯୋଗ୍ୟ, ଯୁକ୍ତି ଉପସ୍ଥାପନ ବେଳେ ସବୁବେଳେ ଓକିଲମାନେ ବିଚାରପତିମାନଙ୍କୁ ‘ମାଇଁ ଲର୍ଡ’ ଅଥବା ‘ୟୋର୍ ଲର୍ଡସିପ୍’ ବୋଲି ସମ୍ବୋଧନ କରନ୍ତି। କେତେକ ଏହାକୁ ଉପନିବେଶୀୟ ଅମଳର ଅବଶେଷ ଏବଂ ଦାସତ୍ବର ସଙ୍କେତ କହି ବିରୋଧ କରୁଛନ୍ତି। ବିଚାରପତି ନରସିଂହ କହିଲେ, ‘ମାଇଁ ଲର୍ଡ’ ପରିବର୍ତ୍ତେ ‘ସାର୍’ କହୁ ନାହାନ୍ତି କାହିଁକି | ନଚେତ ଆପଣ କେତେ ଥର ‘ମାଇଁ ଲର୍ଡ’ କହୁଛନ୍ତି ମୁଁ ଗଣନା କରିବି। ସୂଚନାଯୋଗ୍ୟ, ବିଚାପତିମାନଙ୍କୁ ଆଉ ‘ମାଇଁ ଲର୍ଡ’ ଓ ‘ୟୋର୍ ଲର୍ଡସିପ୍’ ବୋଲି ସମ୍ବୋଧନ କରିବେ ନାହିଁ ବୋଲି ୨୦୦୬ରେ ‘ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ’ ପ୍ରସ୍ତାବନା ଗୃହୀତ କରିଥିଲା। କିନ୍ତୁ, କାର୍ଯ୍ୟ କ୍ଷେତ୍ରରେ ତାହାକୁ ପ୍ରୟୋଗ କରାଯାଇ ପାରିନଥିବା ଦେଖିବାକୁ ମିଳିଛି |






More Stories
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……