ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହାତରେ ପିସ୍ତଲ ଧରି ସବ୍ଇନ୍ସପେକ୍ଟର ତାହାକୁ ଦେଖୁ ଦେଖୁ ହଠାତ୍ ଫୁଟିଲା ଗୁଳି। ଆଉ ତାହା ସିଧାସଳଖ ଥାନାକୁ ଆସିଥିବା ଜଣେ ମହିଳାଙ୍କ ମୁଣ୍ଡରେ ବାଜିଲା। ଦୀର୍ଘ ୬ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ମହିଳାଜଣକ ଆଖି ବୁଜିଛନ୍ତି । ଅପରପକ୍ଷେ, ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସବ୍ଇନ୍ସପେକ୍ଟରଜଣକ ଫେରାର ହୋଇଯାଇଛନ୍ତି। ଏପରି ଏକ ଦୁଃଖଦ ଘଟଣା ଉତ୍ତରପ୍ରଦେଶର ଆଲିଗଡ଼ର କୋତବାଲି ଥାନାରେ ଘଟିଛି। ନିଜ ପାସପୋର୍ଟ ଯାଞ୍ଚ ନିମନ୍ତେ ଇସରତ ନାମ୍ନୀ ମହିଳା ୬ ଦିନ ତଳେ କୋତବାଲି ଥାନାକୁ ଯାଇଥିଲେ। ସେଠାରେ ମହିଳାଜଣକ ଛିଡ଼ା ହୋଇଥିଲେ। ଉକ୍ତ ସମୟରେ ସବ୍ଇନ୍ସପେକ୍ଟର ମନୋଜ କୁମାର ନିଜ ପିସ୍ତଲ ଯାଞ୍ଚ କରୁ କରୁ ତାହା ହଠାତ୍ ଫୁଟି ଯାଇଥିଲା। ଆଉ ଗୁଳି ସିଧାସଳଖ ମହିଳାଙ୍କ ମୁଣ୍ଡରେ ବାଜିଥିଲା। ଫଳରେ ସେ ତଳେ ପଡ଼ି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦିନ କାଳ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ସେ ଆଖି ବୁଜିଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅପରପକ୍ଷେ, ଏହି ଘଟଣା ପରଠୁ ଫେରାର ହୋଇଥିବା ମନୋଜ କୁମାରଙ୍କୁ ଧରିବାକୁ ୨ଟି ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି। ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ଏପରିକି ମନୋଜ କୁମାରଙ୍କୁ ଧରାଇ ଦେଲେ ୨୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି। ଅଭିଯୁକ୍ତଙ୍କୁ ଧରିବାକୁ ଜୋରଦାର ଧରପଗଡ଼ ଚାଲିଛି। ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ପି ସୂଚନା ଦେଇଛନ୍ତି।






More Stories
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….