ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦ ସୁରକ୍ଷା ଭଙ୍ଗ ଘଟଣାରେ ସମ୍ପୃକ୍ତ ଥିବା ୫ମ ସନ୍ଦିଗ୍ଧଙ୍କୁ ବୁଧବାର ଗୁରୁଗ୍ରାମରୁ ଦିଲ୍ଲୀ ପୋଲିସର ‘ସ୍ପେସାଲ୍ ସେଲ୍’ ଗିରଫ କରିଥିବା କଥା ବିଶେଷସୂତ୍ରରୁ ତଥ୍ୟ ସଂଗ୍ରହ କରି ନିଉଜ୍ ଏଜେନ୍ସି ‘ପିଟିଆଇ’ ରିପୋର୍ଟ କରିଛି। ସେ ହେଉଛନ୍ତି ବିଶାଳ ଶର୍ମା ଏବଂ ସେ ‘ସଂସଦ ପ୍ରବେଶ’ ଯୋଜନା କରିଥିବା ୪ଜଣଙ୍କୁ ଆଶ୍ରୟ ଦେଇଥିଲେ। ଏହି ଘଟଣା ସହିତ ଜଡ଼ିତ ଥିବା ୬ଷ୍ଠ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଦିଲ୍ଲୀ ପୋଲିସର ସ୍ପେସାଲ୍ ସେଲ୍ ସମସ୍ତ ଅଭିଯୁକ୍ତଙ୍କ ନାଁରେ ‘ଅନ୍ଲଫୁଲ୍ ଆକ୍ଟିଭିଟିଜ୍ (ପ୍ରିଭେନ୍ସନ୍) ଆକ୍ଟ୍ ଓ ‘ଆଇପିସି’ର ଧାରା ୧୨୦ବି ଓ ୪୫୨ ଅନୁଯାୟୀ ମାମଲା ରୁଜୁ କରିଛି। ଆଜି ସେମାନଙ୍କୁ ଅଦାଲତରେ ହାଜର କରାଯିବ। ‘ଭଗତ ସିଂହ ଫ୍ୟାନ୍ କ୍ଲବ୍’ ନାମରେ ଏକ ସାମାଜିକ ଗଣମାଧ୍ୟମ ଗ୍ରୁପ୍ରେ ସମସ୍ତ ଅଭିଯୁକ୍ତ ସମ୍ପୃକ୍ତ ଥିବା କଥା ଦିଲ୍ଲୀ ପୋଲିସ ତଦନ୍ତରୁ ଜଣାପଡ଼ିଛି। ଏହି ଯୋଜନା କରିବା ଲାଗି ସେମାନେ ପ୍ରାୟ ଦେଢ଼ ବର୍ଷ ପୂର୍ବେ ମହୀଶୂରରେ ଏକତ୍ର ହୋଇ ଆଲୋଚନା କରିଥିଲେ। ପ୍ରାୟ ୯ ମାସ ପୂର୍ବେ ଚଣ୍ଡୀଗଡ଼ ବିମାନ ବନ୍ଦର ନିକଟରେ ହୋଇଥିବା କୃଷକ ପ୍ରତିବାଦ ସମୟରେ ପୁଣି ଥରେ ସେମାନେ ବୈଠକ କରିଥିଲେ। ୬ଜଣଯାକ ସଂସଦରେ ପ୍ରବେଶ କରିବାକୁ ଚାହୁଁଥିଲେ କିନ୍ତୁ, କେବଳ ସାଗର ଶର୍ମା ଓ ମନୋରଞ୍ଜନ ‘ପାସ୍’ ସଂଗ୍ରହ କରିପାରିଥିଲେ। ପ୍ରାପ୍ତ ସୂଚନା ଅନୁସାରେ, ଭିନ୍ନ ଭିନ୍ନ ରାଜ୍ୟର ବାସିନ୍ଦା ହେଲେ ବି ୬ ଅଭିଯୁକ୍ତ ପରସ୍ପରଙ୍କୁ ଚିହ୍ନନ୍ତି। ଏହି ସୁରକ୍ଷା ଭଙ୍ଗ ଘଟଣାର ତଦନ୍ତ ଲାଗି ଗୃହ ବ୍ୟାପାର ମନ୍ତ୍ରାଳୟ ଆଦେଶ ଦେବା ପରେ ‘ସିଆର୍ପିଏଫ୍’ର ‘ଡିଜି’ ଆନିଶ ଦୟାଲ୍ ସିଂହଙ୍କ ନେତୃତ୍ବରେ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସିର ସଦସ୍ୟ ଓ ବିଶେଷଜ୍ଞ ଥିବା ଏକ କମିଟି ଗଠନ କରାଯାଇଛି।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..