ରିପୋର୍ଟ କାର୍ଡ / ମୟୂରଭଞ୍ଜ
ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଛାତିଥରା ଦୁର୍ଘଟଣା । ପାଟ୍ରୋଲିଂ ବେଳେ ପୋଲିସ ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଆଇଆଇସି, ଡ୍ରାଇଭର ତଥା ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଓ ହେଲପର ଅଛନ୍ତି। ଗତ ରାତିରେ ଉଦଳା ଥାନା ପୋଲିସ ଗାଡ଼ି ପାଟ୍ରୋଲିଂରେ ବାହାରିଥିଲା। ଉକ୍ତ ଗାଡ଼ିରେ ଆଇଆଇସିଙ୍କ ସମେତ ଅନ୍ୟ କର୍ମଚାରୀ ଥିଲେ। ଗାଡ଼ିଟି ଉଦଳା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ଛିଡ଼ା ହୋଇଥିଲା। ଉକ୍ତ ସମୟରେ ରୋଗୀ ଛାଡ଼ି ଉଦଳା ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ପୁଲିସ୍ ଭ୍ୟାନ୍କୁ ଜୋରରେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର ଥିଲା ଯେ ପୋଲିସ ଗାଡ଼ିଟି ପ୍ରାୟ ୩ ଥର ଓଲଟି ପଡ଼ିଥିଲା। ଆଉ ତାହା ତଳେ କର୍ମଚାରୀମାନେ ଚାପି ହୋଇ ରହି ଯାଇଥିଲେ। ଖବର ପାଇ ତୁରନ୍ତ ଉଦଳା ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ି ଭିତରୁ ସମସ୍ତଙ୍କୁ ବାହାର କରିଥିଲେ। ସମସ୍ତଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତୁରନ୍ତ ସେମାନଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣେ ହୋମଗାର୍ଡ଼ ଲକ୍ଷ୍ମୀଧର ମହାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣାରେ ଉଦଳା ଥାନା ଆଇଆଇସି, ଭ୍ୟାନ୍ ଡ୍ରାଇଭର ସମେତ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଓ ହେଲପରଙ୍କ ଅବସ୍ଥା ବି ଗୁରୁତର ରହିଛି। ଆଇଆଇସି ବନମାଳୀ ବାରିକ ଓ ଡ୍ରାଇଭରଙ୍କ ଅବସ୍ଥା ସାଂଘାତିକ ହେବାରୁ ଉଭୟଙ୍କୁ ବାରିପଦା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଉଦଳା ପୁଲିସ ଏହି ଦୁର୍ଘଟଣାରେ ତଦନ୍ତ ଆରମ୍ଭ କରିଛି । ଖବର ଲେଖା ହେବା ସୁଦ୍ଧା ଆଇଆଇସି ବନମାଳୀ ବାରିକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ଜଣାଯାଇଛି।






More Stories
୧୩ରେ ରାଜ୍ୟ କ୍ୟାବିନେଟ୍……
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..