ରିପୋର୍ଟ କାର୍ଡ / କଟକ
ଆକ୍ସନ ମୁଡକୁ ରେ ନୂଆ ପୋଲିସ କମିଶନର ଏସ୍ . ଦେବଦତ୍ତ ସିଂହ । ପରଫରମାନ୍ସ ହେଉଛି ଆଧାର, ନ କରିପାରିଲେ ଦୃଢ ଆକ୍ସନ ନିଆଯିବ ବୋଲି କହିଛନ୍ତି। ଟୁଇନ୍ ସିଟିରେ ଦୀର୍ଘ ବର୍ଷ ଧରି ରହି ଯାଇଥିବା ଗାଦି ମଡ଼ା ପୋଲିସ ଅଧିକାରୀଙ୍କୁ ଏପରି ଚେତାବନୀ ଦେଇଛନ୍ତି ପୁଲିସ କମିଶନର । ଟୁଇନ ସିଟି କମିଶନର ଏସ୍ . ଦେବଦତ୍ତ ସିଂହ ଗତକାଲି ଭୁବନେଶ୍ୱରରେ ପୂର୍ବତନ ପୋଲିସ କମିଶନର ସଞ୍ଜୀବ ପଣ୍ଡାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଆଜି କଟକରେ ପହଞ୍ଚି ବିଭିନ୍ନ ଥାନା ଅଧିକାରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧୀଙ୍କ ସହ ଆଲୋଚନା କରି ସେ କହିଛନ୍ତି, କେଉଁ ଅଫିସର କେତେ ଦିନ ହେବ କମିଶନରେଟ ପୋଲିସ ଅଧୀନରେ କାର୍ଯ୍ୟରତ ଅଛନ୍ତି ପ୍ରଥମେ ତାହାର ତଥ୍ୟ ନିଆଯିବ । ଏହାପରେ ଅଧିକାରୀମାନଙ୍କ ସମ୍ପାଦନା କରୁଥିବା କର୍ତ୍ତବ୍ୟକୁ ତର୍ଜମା କରାଯିବ । ଆଶାନୁରୂପ କାର୍ଯ୍ୟ କରୁ ନ ଥିଲେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ୨୪ ଘଣ୍ଟା ଲୋକଙ୍କ ସେବା କରିବା ସହ ସେମାନଙ୍କ ଅଭିଯୋଗ ଶୁଣିବା ପୁଲିସ୍ର କାମ । ଲୋକଙ୍କୁ ଉଚିତ ବ୍ୟବହାର ଦେଖାଇବା ସହ ତ୍ୱରିତ ନ୍ୟାୟ ଦେବାକୁ ପଦକ୍ଷେପ ନିଆଯିବ । ଅସୁବିଧା ସମୟରେ ଥାନାକୁ ଆସୁଥିବା ଲୋକଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ ସହ ସେମାନଙ୍କ ଅଭିଯୋଗକୁ ଧୈର୍ଯ୍ୟର ସହ ଶୁଣାଯିବ । ଅଭିଯୋଗକାରୀ ଥାନାର ଅତିଥି ସମାନ । ଆମେ ଘରେ ଯେପରି ଅତିଥିଙ୍କ ସତ୍କାର କରିଥାଉ, ଠିକ୍ ସେହିପରି ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ସମାନ ବ୍ୟବହାର ପ୍ରଦର୍ଶନ କରାଯିବ ବୋଲି କହିଛନ୍ତି ନୂଆ ପୋଲିସ କମିଶନର ।ଏଥିସହ ସେ ଅପରାଧୀଙ୍କୁ ଅପରାଧ ଛାଡ଼ି ଆଗାମୀ ଦିନରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ନଚେତ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି। ଆଜି କଟକର ନୂଆ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ୨୦୧୩ ବ୍ୟାଚର ଆଇପିଏସ୍ ଜଗମୋହନ ମୀନା। ପ୍ରକାଶ ଆର୍.ଙ୍କ ବଦଳି ପରେ ତାଙ୍କ ସ୍ଥାନରେ ଜଗମୋହନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ନେବା ପରେ ନୂଆ ଡିସିପି କହିଛନ୍ତି, ପାର୍ବଣ ଋତୁର ସୁପରିଚାଳନା ଉପରେ ଆମର ଗୁରୁତ୍ୱ ରହିବ। ଥାନାରେ ସାଧାରଣ ଲୋକଙ୍କୁ ଉତ୍ତମ ବ୍ୟବହାର କରାଯିବ। ତାସହିତ ମହିଳାମାନଙ୍କ ପାଇଁ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ। ବଡ଼ ବଡ଼ ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିସିପି ଜଗମୋହନ ମୀନା ।
More Stories
ଡବଲ୍ ଡେକର୍ ବସ୍ର ଟ୍ରାଏଲ୍ ରନ୍…..
ମୂଷା ଯେତେ ଧାନ ଖାଇବା କଥା ଖାଇଗଲେ,ଚର୍ଚ୍ଚାରେ ସମ୍ୱିତଙ୍କ ମୂଷା ଉପାକ୍ଷାନ…..
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି…..