Report Card Odisha

| Daily Odia News

ପୁଣି ଆଦାନିଙ୍କ ଅଡ଼ୁଆ ବଢ଼ିଲା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ ପାଇଁ ପୁଣି ଏକ ସମସ୍ୟା ସୃଷ୍ଟି ହୋଇଛି। ପ୍ରଥମ ଥର ଲାଗି ଆଗଧାଡ଼ିର ଅଡିଟ୍‌ ସଂସ୍ଥା ଡେଲଏଟ୍‌ ଆଦାନି ପୋର୍ଟସ୍‌ର ତିନି କାରବାର ଉପରେ ପ୍ରଶ୍ନ ଉଠାଇଛି। ଏହି କାରବାରଗୁଡ଼ିକ ବିଷୟରେ କଂପାନି ଠିକ୍ ତଥ୍ୟ ଦେଇନାହିଁ। ସ୍ଥାନୀୟ ନିୟମକୁ ମଧ୍ୟ ଠିକ୍ ଭା‌ବେ ପାଳନ କରାଯାଇନାହିଁ ବୋଲି ଡେଲଏଟ୍‌ କହିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଚଳିତ ବର୍ଷ ଜାନୁଆରି ୨୪ରେ ହିଣ୍ଡେନ୍‌ବର୍ଗ ଯେଉଁ ରିପୋର୍ଟ ପ୍ରକାଶ କରିଥିଲା ସେଥିରେ ମଧ୍ୟ ଏହି ଅଭିଯୋଗ ରହିଥିଲା। ଡେଲଏଟ୍‌ ଏହାର ରିପୋର୍ଟରେ ଆଦାନି ପୋର୍ଟସ୍‌ର ତିନିଟି ନିର୍ଦ୍ଦିଷ୍ଟ କାରବାର ଉପରେ ପ୍ରଶ୍ନ ଉଠାଇଛି। ଗୋଟିଏ ହେଉଛି ଆଦାନି ଗ୍ରୁପ୍‌ ଏହାର ଏକ ସହାୟକ ସଂସ୍ଥା ସହ କରିଥିବା ଇଞ୍ଜିନିୟରିଂ ବୁଝାମଣା। ମିଆଁମାର ବନ୍ଦରକୁ ସୋଲାର ଏନର୍ଜି ଲିମିଟେଡ୍‌କୁ ବିକ୍ରି କରିବା ଘଟଣା। କିଛି ସଂସ୍ଥା ସହ କଂପାନିର ଇକ୍ବିଟି ଓ ଆର୍ଥିକ କାରବାର। ଏହି ସମସ୍ତ କାରବାର ଯେଉଁ ସବୁ ସଂସ୍ଥା ସହ ହୋଇଥିଲା ସେମାନଙ୍କ ସହ ଆଦାନି ଗ୍ରୁପ୍‌ର କୌଣସି ସିଧାସଳଖ ସମ୍ପର୍କ ନଥିବା କଂପାନି କହିଛି। କିନ୍ତୁ ତାହାକୁ ପ୍ରମାଣ କରିବା ଲାଗି ଅଡିଟ୍ ବେଳେ ଯେଉଁ ତଥ୍ୟ ମଗାଯାଇଥିଲା ତାହା କଂପାନି ଦେଇନାହିଁ। ତେଣୁ ସେହି ସବୁ ସଂସ୍ଥାର ଆଦାନି ଗ୍ରୁପ୍‌ର ସମ୍ପର୍କ ନଥିବା ନେଇ କଂପାନି ଯେଉଁ ଦାବି କରୁଛି ତାହା ଉପରେ ସନ୍ଦେହ ରହିଛି ବୋଲି ଡେଲଏଟ୍‌ କହିଛି। କୌଣସି ବାହ୍ୟ ସଂସ୍ଥା ଦ୍ବାରା ସ୍ବାଧୀନ ଅଡିଟ୍‌ ପାଇଁ କଂପାନି ରାଜି ହେଉନଥିବାରୁ ସନ୍ଦେହ ଆହୁରି ଘନୀଭୂତ ହୋଇଛି। ପ୍ରଥମ ଥର ପାଇଁ କୌଣସି ଆଗଧାଡ଼ିର ଅଡିଟ୍‌ ସଂସ୍ଥା ଆଦାନି ଗ୍ରୁପ୍ ବିରୋଧରେ ଏଭଳି ଟିପ୍ପଣୀ କରିଛି। ହିଣ୍ଡେନ୍‌ବର୍ଗ ଅଭିଯୋଗ ପରେ ୧୦,୦୦୦ କୋଟି ଡଲାର ହରାଇଥିବା ଆଦାନି ଗ୍ରୁପ୍ ଲାଗି ଡେଲଏଟ୍‌ର ଏହି ରିପୋର୍ଟ ଅଡ଼ୁଆ ସ୍ଥିତି ସୃଷ୍ଟି କରିବ ବୋଲି କୁହାଯାଉଛି। ଡେଲଏଟ୍‌ ରିପୋର୍ଟରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଆଦାନି ଗ୍ରୁପ୍ ଆର୍ଥିକ କାରବାର ବେଳେ ତଥ୍ୟ ଉପସ୍ଥାପନରେ କିଛିଟା ଅନ୍ତର ରହୁଛି। ଉଲ୍ଲେଖଯୋଗ୍ୟ ଯେ ହିଣ୍ଡେନ୍‌ବର୍ଗ ମାମଲାରେ ସୁପ୍ରିମକୋର୍ଟ ଗଠନ କରିଥିବା କମିଟି ଆଦାନି ଗ୍ରୁପ୍‌କୁ କ୍ଲିନ୍‌ଚିଟ୍ ପ୍ରଦାନ କରିଛି। ତେବେ ଏହି ମାମଲାର ତଦନ୍ତ ସେବି ମଧ୍ୟ କରୁଛି। ତଦନ୍ତ ଶେଷ କରିବା ଲାଗି ସେବି ତିନି ମାସ ଅଧିକ ସମୟ ନେଇଛି।

Breaking News