ରିପୋର୍ଟ କାର୍ଡ / ପୁରୀ
ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରେ ରବିବାର ବିଜେ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ। ରଥ ଉପରୁ ମହାପ୍ରଭୁଙ୍କୁ ଆଡପ ପହଣ୍ଡି କରାଯାଇଛି। ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ମଦନମୋହନଙ୍କୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରାଯିବା ପରେ ଚକ୍ରରାଜ ଶ୍ରୀସୁଦର୍ଶନ ପହଣ୍ଡି ବିଜେ କରିଥିଲେ। ଏହାପରେ ତାଳଧ୍ୱଜ ରଥରୁ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦର୍ପଦଳନ ରଥରୁ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରାଯାଇଥିଲା। କାଳିଆ ଠାକୁର ଶ୍ରୀଜଗନ୍ନାଥ ଶେଷରେ ଆଡପ ମଣ୍ଡପକୁ ବିଜେ କରିଛନ୍ତି। ମହାପ୍ରଭୁଙ୍କ ଶ୍ରୀ ମସ୍ତକରେ ଆକର୍ଷଣୀୟ ଟାହିଆ ଶୋଭା ପାଉଥିଲା। ସେବକ ଓ ଭକ୍ତଙ୍କ ମେଳରେ ପ୍ରଭୁ ଝୁଲି ଝୁଲି ଆଡପ ମଣ୍ଡପକୁ ବିଜେ କରିଥିଲେ। ଶରଧାବାଲିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ରଥ ଉପରେ ପ୍ରଭୁଙ୍କ ସନ୍ଧ୍ୟାଧୂପ ସରିବା ପରେ ଘୋଡ଼ା ଫିଟାଯିବା ସହ ଚାରମାଳ ବନ୍ଧା ଓ ସିଂହାସନ ମାଜଣା କରାଯାଇଥିଲା। ଘଣ୍ଟୁଆଙ୍କ ମିଳିତ ଘଣ୍ଟ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି। ପୁଷ୍ପାଞ୍ଜଳି ପ୍ରଦାନ ପରେ ଆରମ୍ଭ ହୋଇଥିଲା ପହଣ୍ଡି। ରାତି ୧୦ଟା ସୁଦ୍ଧା ପ୍ରଭୁ ଆଡପ ମଣ୍ଡପରେ ବିଜେ କରିଥିଲେ। ଆଜି ସକାଳୁ ସେଠାରେ ପ୍ରଭୁଙ୍କ ସେବାପୂଜା ଓ ନୀତିକାନ୍ତି ଆରମ୍ଭ ହେବ। ଶ୍ରୀଗୁଣ୍ଡିଚା ମନ୍ଦିର ରୋଷଶାଳାରେ ଆଡ଼ପ ଅବଢ଼ା ପ୍ରସ୍ତୁତ କରାଯାଇ ଶ୍ରୀଜୀଉଙ୍କୁ ଅର୍ପଣ କରାଯିବ। ଭକ୍ତମାନେ ସେଠାରେ ଆଡ଼ପ ଅବଢ଼ା ତଥା ମହାପ୍ରସାଦ ପାଇ ପାରିବେ। ଜୁଲାଇ ୪ ତାରିଖ ରାତି ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭକ୍ତଙ୍କୁ ମହାପ୍ରଭୁ ସେଠାରେ ଆଡପ ଦର୍ଶନ ଦେବେ। ଆଷାଢ ଶୁକ୍ଲ ଦଶମୀ ତିଥିରେ ଆଗାମୀ ୫ତାରିଖ ଦିନ ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ପୁଣିଥରେ ରଥରେ ବସି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ା ଯାତ୍ରା କରିବେ ପ୍ରଭୁ ଶ୍ରୀଜଗନ୍ନାଥ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….