Report Card Odisha

| Daily Odia News

ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିବାକୁ ମହମ୍ମଦ ହନିଫ ଆତ୍ମର ଦାବି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାଲିବାନ ଆତଙ୍କିଙ୍କ ହିଂସା ଏବଂ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି | ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକ ଡକାଇବାକୁ ଆଫଗାନର ବୈଦେଶିକ ମନ୍ତ୍ରୀ ମହମ୍ମଦ ହନିଫ ଆତ୍ମର ଦାବି କରିଛନ୍ତି। ମଙ୍ଗଳବାର ଦିନ ଭାରତର ବୈଦେଶିକ ମନ୍ତ୍ରୀ ଡ. ଏସ ଜୟଶଙ୍କରଙ୍କ ନିକଟକୁ ଟେଲିଫୋନ କରି ଆତ୍ମର ଏହି ଦାବି ଜଣାଇଛନ୍ତି। ସେ କହିଛନ୍ତି ଯେ ତାଲିବାନ ଆତଙ୍କିଙ୍କ ହିଂସା ଏବଂ ଅତ୍ୟାଚାର ରୋକିବାକୁ ଜାତିସଂଘ ଏବଂ ଆନ୍ତର୍ଜାତିକ ସମୁଦାୟ ବୃହତ୍ତର ଭୂମିକା ଗ୍ରହଣ କରିବାର ଜରୁରୀ ଆବଶ୍ୟକତା ଦେଖାଦେଇଛି। ଏହି ଅବସରରେ ସେ ଜାତିସଂଘ ସୁରକ୍ଷା ପରିଷଦର ସଂପ୍ରତି ଭାରତର ନେତୃତ୍ୱ ଭୂମିକାକୁ ଆତ୍ମର ପ୍ରଶଂସା କରିଥିଲେ। ଆଫଗାନିସ୍ତାନରେ ତାଲିବାନ ଆତଙ୍କି ଗୋଷ୍ଠୀ ଦ୍ୱାରା ବ୍ୟାପକ ହିଂସା, ମାନବାଧିକାର ଉଲ୍ଲଂଘନ ଏବଂ ସେମାନଙ୍କ ସହିତ ବିଦେଶୀ ଆତଙ୍କି ସାମିଲ ହୋଇ ଦେଶରେ ଘଟାଇ ଚାଲିଥିବା ହିଂସାକାଣ୍ଡ ସମ୍ପର୍କରେ ଆତ୍ମର ଆଲୋଚନା କରିବା ସହିତ ଏହା ଉପରେ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡକାଯିବାର ଆବଶ୍ୟକତା ଦେଖାଦେଇଛି। ତାଲିବାନ ଆତଙ୍କିଙ୍କ ଦ୍ୱାରା ବର୍ବର କାଣ୍ଡ ବୃଦ୍ଧି ଘଟଣା ଏବଂ ବିଦେଶୀ ଲଢୁଆ ଓ ଆତଙ୍କିଙ୍କ ସହିତ ମିଶି ସେମାନେ ସଂପ୍ରତି ଆଫଗାନିସ୍ତାନରେ ଜୋରଦାର ଆକ୍ରମଣ କରୁଥିବା ସମ୍ପର୍କରେ ମହମ୍ମଦ ହନିଫ ଆତ୍ମର ଆଲୋକପାତ କରିଥିଲେ। ଏହା ଆନ୍ତର୍ଜାତିକ ମାନବାଧିକାର ଆଇନର ବ୍ୟାପକ ଉଲ୍ଲଂଘନ କରୁଛି ଏବଂ ଏହାର ପରିଣତି ଭୟାବହ ହେବ ବୋଲି ସେ ସତର୍କ କରାଇ ଦେଇଥିଲେ। ଇତିମଧ୍ୟରେ ଜୟଶଙ୍କର କହିଛନ୍ତି ଯେ ଆଫଗାନିସ୍ତାନରେ ଚାଲିଥିବା ମାନବାଧିକାର ଉଲ୍ଲଂଘନ ରୋକିବା ପାଇଁ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଆୟୋଜନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଆତ୍ମରଙ୍କୁ ଭରସା ଦେଇ ସେ କହିଥିଲେ ଯେ ଆଫଗାନିସ୍ତାନର ଏହି ପ୍ରସ୍ତାବ ଉପରେ ଭାରତ ସମୀକ୍ଷା କରିବା ସହିତ ଆଲୋଚନା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ସୂଚନାଯୋଗ୍ୟ ଯେ ଭାରତ ଚଳିତ ମାସରେ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛି।

Breaking News