Report Card Odisha

| Daily Odia News

ପୁଣି ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଆଫଗାନିସ୍ତାର ପଶ୍ଚିମ ପ୍ରାନ୍ତରେ ପୁଣି ଥରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି | ‘ଜିଏଫ୍‌ଜେଡ୍‌’ ରିପ‌ୋର୍ଟ କରିଛି, ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୩। ଏହାର ଉତ୍ପତ୍ତିସ୍ଥଳ ଥିଲା ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ। ଏହି ସଦ୍ୟ ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବା ସମ୍ବାଦ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଉଲ୍ଲେଖଯୋଗ୍ୟ, ଗତ ଶନିବାର ଦିନ ଆଫଗାନିସ୍ତାନରେ ସଂଘଠିତ ଭୂମିକମ୍ପ ଯୋଗୁଁ କେତୋଟି ଗାଁ ନିଶ୍ଚିହ୍ନ ହୋଇଯିବା ସହିତ ଅନେକ ଘରଦ୍ବାରା ଭାଙ୍ଗିରୁଜି ପ୍ରାୟ ୨୦୦୦ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଥିଲେ।ମଙ୍ଗଳବାର ଦିନ ଆଫଗାନିସ୍ତାନ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମୁଖପାତ୍ର ମୁଲ୍ଲା ସାଇକ୍‌ ସୁନିଶ୍ଚିତ କରି କହିଥିଲେ ଯେ, ଶନିବାର ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୪୦୦୦ ଅତିକ୍ରମ କରିଯାଇଛି। ଏଥିସହିତ ୨୦ଟି ଗ୍ରାମର ପ୍ରାୟ ୨୦୦୦ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସୂଚନାଯୋଗ୍ୟ, ଭୂମିକମ୍ପଜନିତ ଉଦ୍ଧାର ଓ ପୁନର୍ନିମାଣ କାର୍ଯ୍ୟଲାଗି ଜାତିସଂଘର ମାନବୀୟ କାର୍ଯ୍ୟାଳୟ ୫ ନିୟୁତ ଡଲାର୍‌ ମୂଲ୍ୟର ସହାୟତା ଘୋଷଣା କରିଛି। ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନର ‘ଇମର୍ଜେନ୍‌ସି ରେସ୍‌ପନ୍‌ସ୍‌’ର ମୁଖ୍ୟ ମଧ୍ୟ କହିଛନ୍ତି, ତାପମାତ୍ରା ହ୍ରାସ ପାଉଥିବାରୁ ଡାକ୍ତରୀ ଓ ଖାଦ୍ୟ ସହାୟତା ସହିତ ଭୂକମ୍ପପୀଡ଼ିତମାନଙ୍କ ପାଇଁ ଆଶ୍ରୟ ଅତ୍ୟାବଶ୍ୟକ ହୋଇପଡ଼ିଛି।

Breaking News