Report Card Odisha

| Daily Odia News

ଅଗ୍ନିବୀର ପାଇଁ ଜୁନ୍‌ ୨୪ରୁ ଅନ୍‌ଲାଇନ ପରୀକ୍ଷା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ହେଉଛି ପ୍ରତିରକ୍ଷା ବିଭାଗର ଏକ ସଂସ୍କାର । ସୈନ୍ୟବାହିନୀରେ ଯୁବସୁଲଭ ଉଦ୍ଦାମତା ଏବଂ ପ୍ରବୀଣଙ୍କ ଅଭିଜ୍ଞତାକୁ ଫେଣ୍ଟାଫେଣ୍ଟି କରିବା ଏହି ଯୋଜନାର ଉଦ୍ଦେଶ୍ୟ। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଅଗ୍ନିବୀରଙ୍କ ଲାଗି ଯେଉଁ ସଂରକ୍ଷଣ ଘୋଷଣା କରିଛନ୍ତି ତାହା ଆନ୍ଦୋଳନ ଯୋଗୁ ଚାପରେ ପଡ଼ି ନୁହେଁ, ବରଂ ତାହା ବି ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତାହାର ଘୋଷଣା ହୋଇଥାନ୍ତା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସାମରିକ ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ପୁରୀ କହିଛନ୍ତି, ପ୍ରତିରକ୍ଷା ବିଭାଗରେ ସଂସ୍କାର ଲାଗି ବହୁଦିନରୁ ଚିନ୍ତା କରାଯାଉଥିଲା। ଆମେ ଚାହୁଁଥିଲୁ ସେନାରେ ନବୀନ ଓ ପ୍ରବୀଣଙ୍କ ସମ୍ମିଶ୍ରଣ। ବର୍ତ୍ତମାନ ବହୁସଂଖ୍ୟକ ଯବାନଙ୍କ ବୟସ ୩୦ରୁ ୪୦ ବର୍ଷ ଭିତରେ ଏବଂ ଅଧିକାରୀମାନଙ୍କୁ କମାଣ୍ଡ ମିଳୁଛି ଆଗ ଅପେକ୍ଷା ଅନେକ ଡେରିରେ। ତିନି ସେନାରୁ ପ୍ରତିବର୍ଷ ପ୍ରାୟ ୧୭,୬୦୦ ଲୋକ ଚାକିରି ଅବଧି ପୂରିବା ପୂର୍ବରୁ ଅବସର ନେଉଛନ୍ତି। ଏତେ ସଅଳ ଅବସର ନେଲା ପରେ ସେମାନେ କ’ଣ କରିବେ ବୋଲି ଆଜିଯାଏ କେହି ତ ପଚାରି ନ ଥିଲେ ବୋଲି ପୁରୀ କହିଛନ୍ତି। ପ୍ରଥମ ବର୍ଷ ୪୬,୦୦୦ ପ୍ରର୍ଥୀଙ୍କୁ ନିଯୁକ୍ତି ମିଳିବା ପରେ ଏହି ପ୍ରକ୍ରିୟା ଆଗକୁ ବ୍ୟାପକ ହେବ ବୋଲି ସେ କହିଛନ୍ତି। ଅଗ୍ନିବୀର ପ୍ରଥମ ବ୍ୟାଚ୍ ପାଇଁ ଜୁନ୍ ୨୪ରୁ ଫେଜ୍ ୧ ଅନ୍‌ଲାଇନ୍ ପରୀକ୍ଷା ଆରମ୍ଭ ହେବ। ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ସେମାନଙ୍କୁ ଚୟନ କରାଯାଇ ଡିସେମ୍ବର ୩୦ରୁ ତାଲିମ ଆରମ୍ଭ ହେବ ବୋଲି ଏୟାର ମାର୍ସାଲ ଏସ୍‌କେ ଝା କହିଛନ୍ତି। ଦ୍ବିତୀୟ ବ୍ୟାଚ୍‌ ପାଇଁ ଚୟନ କାର୍ଯ୍ୟ ଫେବ୍ରୁଆରି ମାସରେ କରାଯିବ। ୮୩ଟି ନିଯୁକ୍ତି ରୢାଲି କରାଯିବ ଏବଂ ପ୍ରତ୍ୟେକ ଗାଁରୁ ଆଶାୟୀ ଯୁବକଙ୍କୁ ବଛାଯିବ ବୋଲି ଲେଫ୍ଟନାଣ୍ଟ ଜେନେରାଲ ସି ବଂଶୀ ପୋନାପ୍ପା କହିଛନ୍ତି। ବାୟୁସେନା ପାଇଁ ପ୍ରଥମ ଦଫା ଅଗ୍ନିବୀରଙ୍କୁ ଡିସେମ୍ବର ସୁଦ୍ଧା ଚୟନ କରାଯିବ ଏବଂ ତାଲିମ ବି ସେହି ମାସରେ ଆରମ୍ଭ ହେବ।

 

Breaking News