ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରାକ୍ ନିର୍ବାଚନ ପ୍ରତିଶ୍ରୁତି ଅନୁସାରେ ତେଲେଙ୍ଗାନାର କଂଗ୍ରେସ ସରକାର କୃଷି ଋଣ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୧୫ ତାରିଖ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ସୂଚନା ଦେଇଛନ୍ତି। ନିକଟରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ କୃଷି ଋଣ ଛାଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ରେଡ୍ଡି ସୂଚନା ଦେଇ କହିଥିଲେ ଯେ ଯେଉଁ କୃଷକମାନେ ୧୧ ଡିସେମ୍ବର ୨୦୧୮ ଓ ୯ ଡିସେମ୍ବର ୨୦୨୩ ମଧ୍ୟରେ ଋଣ କରିଥିବେ ସେମାନଙ୍କର ୨ଲକ୍ଷ ଟଙ୍କା ଯାଏଁ କୃଷି ଋଣକୁ ପୂର୍ବ କେସିଆର୍ ସରକାର ଭଳି ପର୍ଯ୍ୟାୟ କ୍ରମେ ନୁହେଁ ଏକା ଥରକେ ଛାଡ଼ କରାଯିବ। ଏଥିପାଇଁ ରାଜ୍ୟ ରାଜକୋଷକୁ ୩୧ହଜାର କୋଟି ଟଙ୍କାର ଅତିରିକ୍ତ ଭାର ବହନ କରିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡି କହିଥିଲେ ଯେ ଅନେକ ସନ୍ଦେହ କରୁଥିଲେ ଯେ କଂଗ୍ରେସ କିଭଳି ଏହି ପ୍ରତିଶ୍ରୁତିକୁ ପୂରଣ କରିବ। କିନ୍ତୁ ସେମାନେ ସେମାନଙ୍କ ପ୍ରତିଶ୍ରୁତି ପୂରଣ କରିବାରେ ଦୃଢ଼ନିଷ୍ଠ। କୃଷି ଋଣ ଛାଡ଼ କରିବାକୁ କ୍ୟାବିନେଟ୍ରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଛି। ତେବେ କେବେ ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ଏନେଇ ଖୁବ୍ ଶୀଘ୍ର ଗାଇଡ୍ଲାଇନ୍ ପ୍ରକାଶ କରାଯିବ। ଯଦ୍ବାରା କୌଣସି ଯୋଗ୍ୟ କୃଷକ ଏହି ଋଣଛାଡ଼ରୁ ବାଦ୍ ପଡ଼ିବେ ନାହିଁ। ତେବେ ଏଥିପାଇଁ ଆବଶ୍ୟକ ପାଣ୍ଠିର ଯୋଗାଡ଼ କରିବା ଏକ ଦାୟିତ୍ବପୂର୍ଣ୍ଣ ସରକାରର କାମ ବୋଲି କହିଥିଲେ।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……