Report Card Odisha

| Daily Odia News

ଇସ୍ତଫା ଦେଲେ ୨୬ କ୍ୟାବିନେଟ୍‌ ମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ବ୍ୟତୀତ ଶ୍ରୀଲଙ୍କା କ୍ୟାବିନେଟ୍‌ର ବାକି ୨୬ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶିକ୍ଷାମନ୍ତ୍ରୀ ତଥା ଗୃହର ନେତା ଦିନେଶ ଗୁଣବର୍ଦ୍ଧେନା କହିଛନ୍ତି, କ୍ୟାବିନେଟନ୍‌ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ନିଜ ନିଜର ଇସ୍ତଫା ପତ୍ର ଦେଇ ଦେଇଛନ୍ତି। କିନ୍ତୁ, ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ମଧ୍ୟ ଇସ୍ତଫା ଦେଇଛନ୍ତି ବୋଲି ଯାହା ପ୍ରଘଟ ହେଉଛି, ତାହା ଗୁଜବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାରି କରିଥିବା ବିବୃତିରେ କୁହାଯାଇଛି। ଦେଶରେ ଉପୁଜି ଥିବା ଉତ୍କଟ ଆର୍ଥିକ ସଙ୍କଟ ବାତାବରଣରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେଙ୍କୁ ଭେଟିଥିଲେ। ତେଣୁ, ସେ ମଧ୍ୟ ଇସ୍ତଫା ଦେଇଛନ୍ତି ବୋଲି ଗୁଜବ ଉଠିଥିଲା। ପ୍ରଧାନମନ୍ତ୍ରୀ ଓ ରା‌ଷ୍ଟ୍ରପତିଙ୍କ ଆଲୋଚନା ସମୟରେ କେତେକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି ଗ୍ରହଣ କରାଯାଇଥିବ ବୋଲି ମନେକରାଯାଉଛି। ଶ୍ରୀଲଙ୍କାର ପୂର୍ବତନ ମନ୍ତ୍ରୀ ବିମଳ ବୀରବଂଶା ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଦେଶର ସାମ୍ପ୍ରତିକ ଆର୍ଥିକ ସଙ୍କଟ ସୁଧାରିବା ପାଇଁ ସର୍ବଦଳୀୟ କାମଚଳା ସରକାର ନିଯୁକ୍ତି ଦେବା ଲାଗି ପ୍ରସ୍ତାବ ଦେଇଛନ୍ତି। ମୁଦ୍ରାସ୍ଫୀତିର ଦ୍ରୁତ ବୃଦ୍ଧି ଏବଂ ଅନ୍ୟ ଦେଶମାନଙ୍କ ମୁଦ୍ରା ତୁଳନାରେ ଶ୍ରୀଲଙ୍କୀୟ ମୁଦ୍ରାର ମୂଲ୍ୟ ହ୍ରାସ ଯୋଗୁଁ ଶ୍ରୀଲଙ୍କାରେ ମୌଳିକ ସାମଗ୍ରୀଗୁଡ଼ିକର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି। କେବଳ ସେତିକି ନୁହେଁ, ଇନ୍ଧନ, ଆହାର ଓ ଔଷଧ ପାଇଁ ଦ୍ବୀପଦେଶ ଶ୍ରୀଲଙ୍କାରେ ଲୋକେ ଘଣ୍ଟା ଘଣ୍ଟା ଧରି ଧାଡ଼ିବାନ୍ଧି ଠିଆ ହୋଇ ମଧ୍ୟ ଖାଲି ହାତରେ ଫେରୁଛନ୍ତି। ଏହାର କାରଣ ହେଉଛି, ଦୋକାନରୁ ସାମଗ୍ରୀ ଶେଷ ହୋଇଯିବା ନଚେତ ଲୋକମାନଙ୍କ ପାଖରେ ଟଙ୍କାପଇସା ନିଅଣ୍ଟ ହେବା।

Breaking News