Report Card Odisha

| Daily Odia News

ସିନେମା ହଲ୍‌ରେ ରହିବ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା…..

ରିପୋର୍ଟ କାର୍ଡ / କଟକ

ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗମାନଙ୍କ ପାଇଁ ସିନେମା ହଲ୍‌ମାନଙ୍କରେ ଫିଲ୍ମ ପ୍ରଦର୍ଶନର ମାର୍ଗଦର୍ଶିକା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣ ବୋର୍ଡ ପକ୍ଷରୁ କଟକଠାରେ ଆଞ୍ଚଳିକ ଅଧିକାରୀ ତଥା ପିଆଇବି ଓ ସିବିସିର ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଚଳଚ୍ଚିତ୍ର ପ୍ରଯୋଜକଙ୍କ ସମେତ ଚଳଚ୍ଚିତ୍ର ଜଗତ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ପ୍ରତିନିଧି ଯୋଗ ଦେଇଥିଲେ। ବୈଠକରେ ଡକ୍ଟର ଦାଶ କହିଥିଲେ ଯେ ଭାରତ ସ୍ବାକ୍ଷର କରିଥିବା ମିଳିତ ଜାତିସଂଘ ଦିବ୍ୟାଙ୍ଗଜନ ଅଧିକାର ସନନ୍ଦ ଅନୁଯାୟୀ ଚଳଚ୍ଚିତ୍ର ପ୍ରଦର୍ଶନରେ ମଧ୍ୟ ବିଶେଷ ଭାବେ ଦୃଷ୍ଟି ଓ ଶ୍ରବଣ ବାଧିତ ବ୍ୟକ୍ତିଙ୍କ ପାଇଁ ସହଜ ବ୍ୟବସ୍ଥା ସୃଷ୍ଟି କରିବା ବାଞ୍ଛନୀୟ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏକାଧିକ ଭାଷାରେ ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ପାଇଁ ଏହି ମାର୍ଗଦର୍ଶିକା ୧୫ ସେପ୍ଟେମ୍ବରରୁ ଲାଗୁ ହେବ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରୁଥିବା ଫିଚର ଫିଲ୍ମଗୁଡିକ ୧ ଜାନୁଆରି ୨୦୨୫ରୁ ଭିନ୍ନକ୍ଷମ ସୁଗମତା ମାନକ ହାସଲ କରିବାକୁ ବାଧ୍ୟ। ଏହାବ୍ୟତୀତ ୨୦୨୬, ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଚଳଚ୍ଚିତ୍ର, ଟିଜର ଓ ଟ୍ରେଲର୍‌ଗୁଡିକରେ ଶ୍ରବଣ ଓ ଦୃଷ୍ଟିବାଧିତଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରିବା ବାଧ୍ୟତାମୂଳକ ହେବ। କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣ ବୋର୍ଡ (ସିବିଏଫସି) ଦ୍ୱାରା ପ୍ରମାଣିତ ଚଳଚ୍ଚିତ୍ରଗୁଡ଼ିକ ପାଇଁ ଏହି ନିର୍ଦ୍ଦେଶାବଳୀ ଲାଗୁ ହେବ ବୋଲି କୁହାଯାଇଛି।

Breaking News