Report Card Odisha

| Daily Odia News

୩୫୧କୋଟି ଟଙ୍କା ଆମ ପରିବାରର,ହିସାବ ଆୟକର ବିଭାଗକୁ ଦିଆଯିବ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଆୟକର ବିଭାଗ ଚଢ଼ଉ କରି ୩୫୧କୋଟି ଟଙ୍କା ନଗଦ ଜବତ କରିବାପରେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁ। ଓଡ଼ିଶାର ମଦଭାଟିରୁ ଆୟକର ବିଭାଗ ଯେଉଁ ଟଙ୍କା ପାଇଛି ତାହା ତାଙ୍କ ପରିବାର ସଦସ୍ୟଙ୍କର। ଏସବୁ ଟଙ୍କାର ଟିକିନିଖି ହିସାବ ଆୟକର ବିଭାଗକୁ ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହାସହିତ ଗତ ଡିସେମ୍ବର ୬ତାରିଖରୁ ସାହୁ ବ୍ରଦର୍ସଙ୍କ ବ୍ୟବସାୟିକ ଫାର୍ମ ଉପରେ ଚାଲିଥିବା ଆୟକର ଚଢ଼ଉ ଆଜି ଭୋରରୁ ସମାପ୍ତ ହୋଇଥିବା ଜଣାପଡ଼ିଛି । ଆୟକର ବିଭାଗ ମଧ୍ୟ ମୋଟ ୩୫୧କୋଟି ଟଙ୍କା ନଗଦ ଜବତ କରିଥିବା ନେଇ ଦିଲ୍ଲୀସ୍ଥିତ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ(ସିବିଡିଟି)କୁ ଅନ୍ତରୀଣ ରିପୋର୍ଟ ଦେଇଛି । ଝାଡ଼ଖଣ୍ଡରୁ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁ ଏହି ଆୟକର ଚଢ଼ଉ ପରେ ଗଣମାଧ୍ୟମକୁ ପ୍ରଥମଥର ପାଇଁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏବେ ଯାହା ସବୁ ଚାଲିଛି ତାହା ତାଙ୍କୁ କଷ୍ଟ ଦେଇଛି । ଯେଉଁ ଟଙ୍କା ମିଳିଛି ସେସବୁ ତାଙ୍କ ଫାର୍ମର ବୋଲି ସେ ସ୍ୱୀକାର କରୁଛନ୍ତି । ଯେଉଁ ନଗଦ ଟଙ୍କା ଜବତ ହୋଇଛି ତାହା ତାଙ୍କ ମଦ ଫାର୍ମର ଟଙ୍କା । ମଦ ବିକ୍ରି ସହ ଜଡ଼ିତ ଥିବା ଏହି ଟଙ୍କା କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୀତିକ ଦଳର ନୁହେଁ । ମିଳିଥିବା ଟଙ୍କା ମୋ’ ନିଜର ନୁହେଁ । ଏହା ଆମ ପରିବାରର ଓ ଅନ୍ୟ ସମ୍ବର୍ଦ୍ଧିତ ଫାର୍ମର ବୋଲି ସେ କହିଛନ୍ତି । ଏବେ ଆୟକର ବିଭାଗ ଚଢ଼ଉ କରିଛି । ପ୍ରତ୍ୟେକ ଟଙ୍କାର ହିସାବ ଦିଆଯିବ ।

Breaking News