ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଆଇନ ଦାବିରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆରମ୍ଭ ହୋଇଥିବା ‘ଦିଲ୍ଲୀ ଚଲୋ’ ଅଭିଯାନ ହିଂସାତ୍ମକ ମୋଡ଼ ନେଇଛି । ଏଥିରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ପୋଲିସ ସହ ସଂଘର୍ଷରେ ଆନ୍ଦୋଳନରତ ୨୩ ବର୍ଷୀୟ ଯୁବ କୃଷକ ଶୁଭକରନ ସିଂହ ପ୍ରାଣ ହରାଇଛନ୍ତି । ହେଲେ ହରିଆଣା ପୋଲିସ ଏହି ମୃତ୍ୟୁକୁ ଅସ୍ୱୀକାର କରିଛି । ଏହାପରେ କୃଷକ ନେତା ସରୱାନ ସିଂହ ପାଣ୍ଡେର ସାମ୍ବାଦିକ ସମ୍ମିଳନୀ କରି କୃଷକ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । ଖାନୌରୀ ଘଟଣାର ସମୀକ୍ଷା ପରେ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରାଯିବ । ଏବେ କୃଷକ ଆନ୍ଦୋଳନକୁ ଆଜି ଏବଂ ଆସନ୍ତାକାଲି ଅର୍ଥାତ ଦୁଇ ଦିନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଘୋଷଣା ହୋଇଛି । ସେ କହିଛନ୍ତି ଯେ ସେ ପ୍ରଥମେ ଖାନୌରୀରେ ଏହି ଘଟଣା ବିଷୟରେ ଆଲୋଚନା କରିବେ, ତେଣୁ ସେ ଦୁଇ ଦିନ ପର୍ଯ୍ୟନ୍ତ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ନାହିଁ । ଚାଷୀଙ୍କୁ ଅଟକାଇବା ପାଇଁ ପୋଲିସ ଅନେକ ରାଉଣ୍ଡ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ରବର ବୁଲେଟ୍ ମଧ୍ୟ ମାଡ଼ ହୋଇଥିଲା । ଅନ୍ୟପକ୍ଷରେ ଚାଷୀମାନଙ୍କ ଆକ୍ରମଣରେ ୧୨ ଜଣ ପୋଲିସ ଆହତ ହୋଇଛନ୍ତି । ଚାଷୀମାନେ ନିଆଁରେ ଲଙ୍କାଗୁଣ୍ଡ ପକାଇ ପୋଲିସ କୁ ଅସ୍ତବ୍ୟସ୍ତ କରିଦେଇଥିବା ସୂଚନା ମିଳିଛି । ଏନେଇ ଅଭିଯୋଗ ହେବାରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ କହିଛନ୍ତି ଯେ ଶୁଭକରନଙ୍କ ଶବ ବ୍ୟବଚ୍ଛେଦ ପରେ ଏକ ଏଫଆଇଆର ପଞ୍ଜୀକୃତ ହେବ। ଶୁଭକରନଙ୍କ ମୃତ୍ୟୁ ପାଇଁ ଦାୟୀ ଥିବା ହରିୟାଣା ପୁଲିସ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ପୁଣି ଥରେ ଚାଷୀଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ ପଠାଇଛନ୍ତି । ଶମ୍ଭୁ ସୀମାରେ ଅନୁଷ୍ଠିତ ବୈଠକରେ ଚାଷୀମାନେ କେନ୍ଦ୍ରର ପ୍ରସ୍ତାବ ଉପରେ ବିଚାର କରୁଛନ୍ତି ବୋଲି କହିଛନ୍ତି।






More Stories
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..
ପ୍ରଧାନମନ୍ତ୍ରୀ ଦେଖିଲେ ଏରିଏଲ ଶୋ…..