ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ଭିତରକୁ ମଙ୍ଗଳବାର ଜଣେ ଯୁବକ କ୍ୟାମେରାଯୁକ୍ତ ଚଷମା ଲଗାଇ ପ୍ରବେଶ କରୁଥିବାବେଳେ ବେହେରଣ ଦ୍ବାର ନିକଟରେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଥିଲା। ତାଙ୍କୁ କେବଳ ଅଣ୍ଡରଟେକିଂ ରଖି ପୁଲିସ ଛାଡ଼ି ଦେଇଥିଲା। ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ଥିଲା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଥିଲା। ଏହି ପ୍ରସଙ୍ଗରେ ବୁଧବାର ପୁରୀ ପୁଲିସ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ଜିଲା ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଛନ୍ତି, ଧରାପଡ଼ିଥିବା ଯୁବକ ଅଭିଜିତ କରଙ୍କ ଚଷମା ଗୁପ୍ତ କ୍ୟାମେରାରୁ ଶ୍ରୀମନ୍ଦିର ଭିତର ବେଢ଼ାର କୌଣସି ଫଟୋ କି ଭିଡିଓ ମିଳିନାହିଁ। ସେଥିପାଇଁ ତାଙ୍କଠାରୁ ଅଣ୍ଡରଟେକିଂ ରଖି ଛଡ଼ାଯାଇଛି। ଶ୍ରୀ ମିଶ୍ର କହିଛନ୍ତି, ଶ୍ରୀମନ୍ଦିରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଆସୁଛନ୍ତି। ମୋବାଇଲ ଓ କ୍ୟାମେରା ନେବା ପାଇଁ ସେମାନେ ନୂଆ ନୂଆ କୌଶଳ ଆପଣାଉଛନ୍ତି। ଆଗାମୀ ଦିନରେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ କିମ୍ବା କ୍ୟାମେରା ନଯିବା ପାଇଁ ସିଂହଦ୍ବାର ପୁଲିସ, ଜେଟିପି, ଶ୍ରୀମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବାହିନୀ ପକ୍ଷରୁ ଚାରି ଦ୍ବାରରେ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। ଶ୍ରୀମନ୍ଦିର ଉପରେ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ସହ ଚାରିପାର୍ଶ୍ବରେ ୱାଚ୍ ଟାୱାର ନିର୍ମାଣ କରାଯିବ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..