Report Card Odisha

| Daily Odia News

ଅନୁପ ସାଏଙ୍କ ଆଜୀବନ କାରାଦଣ୍ଡ ସ୍ଥଗିତ…..

ରିପୋର୍ଟ କାର୍ଡ / ଝାରସୁଗୁଡ଼ା

ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବିଳାସପୁର ହାଇକୋର୍ଟରୁ ଗତ ଗୁରୁବାର ଜାମିନ ମିଳିଥିଲା। ଆଜି ମାନ୍ୟବର ହାଇକୋର୍ଟ ଏହି ମାମଲାରେ ଜାମିନ ପ୍ରଦାନ କରିବା ସହିତ ତଳ କୋର୍ଟର ଆଜୀବନ କାରାଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି। ଚୂଡାନ୍ତ ରାୟ ପ୍ରକାଶ ପାଇବା ପରେ ଅନୁପଙ୍କ ସମ୍ପର୍କୀୟ ଏବଂ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଗତ ୩ ତାରିଖରେ ବିଳାସପୁର ହାଇକୋର୍ଟରେ ଅନୁପଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ଏଥିରେ ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ସିହ୍ନା ମାମଲା ପରିଚାଳନା କରି ତଳ କୋର୍ଟର ବିଚାର ପ୍ରକ୍ରିୟା ଏବଂ କାରାଦଣ୍ଡାଦେଶ ବିରୋଧରେ ଅନେକ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ମାମଲାର କୌଣସି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନଥିବା ବେଳେ ରାସ୍ତା ଉପରେ ପଡ଼ିଥିବା ଦୁଇ ଶବକୁ ପ୍ରଥମ କରି ଦେଖିଥିବା ବ୍ୟକ୍ତିଙ୍କୁ ପୁଲିସ ଜାଣିଥିବା ଓ ନୋଟିସ କରିଥିବା ପରେ ବି ଦୀର୍ଘ ୪ ବର୍ଷ ପରେ ବୟାନ ରେକର୍ଡ କରିବା ତଦନ୍ତ ପ୍ରକ୍ରିୟାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ସିହ୍ନା ଯୁକ୍ତି କରିଥିଲେ। ଏହା ଛଡ଼ା ଏଭଳି ଅହେତୁକ ବିଳମ୍ବର କାରଣ ନେଇ ମଧ୍ୟ ପୋଲିସ କୌଣସି ତଥ୍ୟ ଉପସ୍ଥାପନ କରି ପାରିନାହିଁ। ଅପରପକ୍ଷେ ଘଟଣା ପୂର୍ବ ଦିନ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କୁ ଦେଖିଥିବା ବ୍ୟକ୍ତିଙ୍କ ବୟାନ ଆଧାରରେ କେବଳ ଦଣ୍ଡାଦେଶ ଶୁଣା ଯାଇପାରିବ ନାହିଁ ବୋଲି ବିଭିନ୍ନ କୋର୍ଟର କେତେକ ଗୁରୁତ୍ୱପୂର୍ଣ୍ଣ ରାୟର ଉଦାହରଣ ଦେଇ ଶ୍ରୀ ସିହ୍ନା ଯୁକ୍ତି ଉପସ୍ଥାପନ କରିଥିଲେ। ଘଟଣାର ଅନ୍ୟତମ ଅଭିଯୁକ୍ତ ବର୍ଦ୍ଧନ ଟପ୍ପୋକୁ ତଳ କୋର୍ଟ ନିର୍ଦୋଷରେ ଖଲାସ କରି ସାରିଥିବାରୁ ସମାନ ଅଭିଯୋଗରେ ଅନୁପ ସାଏଙ୍କୁ କାରାଦଣ୍ଡାଦେଶ ବଳରେ ଜେଲରେ ରଖିବା ଆଇନ ସମ୍ମତ ନୁହେଁ ବୋଲି ଶ୍ରୀ ସିହ୍ନା ଯୁକ୍ତି ରଖି ଜାମିନ ସହ ଦଣ୍ଡାଦେଶକୁ ସ୍ଥଗିତ କରିବାକୁ ଆବେଦନ କରିଥିଲେ। ତେବେ ଅନୁପଙ୍କୁ ଜାମିନ ନ ଦେବା ପାଇଁ ସରକାରୀ ଓକିଲଙ୍କ ସମସ୍ତ ଯୁକ୍ତିଙ୍କୁ ମାନ୍ୟବର ଖଣ୍ଡପୀଠ ଆଗ୍ରାହ୍ୟ କରିଦେଇଥିଲେ। ଶ୍ରୀ ସାଏଙ୍କୁ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିବା ସହିତ ବିଚାର ଶେଷ ହେବା ପର୍ଯ୍ୟନ୍ତ କାରାଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି।

 

Breaking News