ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍ ମିଶାଇଲ୍ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆନୁଷ୍ଠାନିକ ଭାବେ ଉକ୍ତ ବୁଡ଼ାଜାହାଜକୁ କମିଶନ କରାଇଛନ୍ତି। ତୃତୀୟ ଆଣବିକ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ ସାମିଲ ହୋଇଥିବାରୁ ଏହା ନୌସେନାର ସାମର୍ଥ୍ୟକୁ ବଢ଼ାଇବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ। ଭାରତର ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍ ମିଶାଇଲ୍ ସବ୍ମାରିନ୍ (ଏସ୍ଏଏସ୍ବିଏନ୍) କାର୍ଯ୍ୟକ୍ରମ ଏକ ଅତ୍ୟନ୍ତ ଗୁପ୍ତ ପ୍ରକଳ୍ପ। ଏହି ପ୍ରକଳ୍ପ ଅଧୀନରେ ପ୍ରଥମ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିହନ୍ତ ଓ ପରେ ଆଇଏନ୍ଏସ୍ ଅରିଘାତ ନିର୍ମାଣ ହୋଇଥିଲା। ଏଭଳି ବୁଡ଼ାଜାହାଜ କେବଳ ଆମେରିକା, ରୁଷିଆ, ବ୍ରିଟେନ୍, ଫ୍ରାନ୍ସ, ଚାଇନା ଏବଂ ଭାରତ ପାଖରେ ରହିଛି।ଭାରତର ପ୍ରଥମ ସ୍ବଦେଶୀ ନିର୍ମିତ ଆଣବିକ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିହନ୍ତ ୨୦୦୯ ଜୁଲାଇରେ ଲଞ୍ଚ୍ ହେବା ପରେ ୨୦୧୬ରେ ସେବାରେ ସାମିଲ ହୋଇଥିଲା। ସେହିପରି ଦ୍ୱିତୀୟ ବୁଡାଜାହାଜ ଆଇଏନ୍ଏସ୍ ଅରିଘାତ ୨୦୨୪ ଅଗଷ୍ଟରେ କମିଶନ ହୋଇଥିଲା। ଆଇଏନ୍ଏସ୍ ଅରିଦମନକୁ କିଛି ମାସ ହେଲା ସାମୁଦ୍ରିକ ପରୀକ୍ଷା କରାଯିବା ପରେ କମିଶନ କରାଯାଇଛି। ଭାରତ ଏହାର ଆକାଶମାର୍ଗ ଏବଂ ଭୂପୃଷ୍ଠରୁ ଆଣବିକ ସାମର୍ଥ୍ୟର ପ୍ରମାଣ ଦେଇଥିବାବେଳେ ଏବେ ସମୁଦ୍ର ଗର୍ଭରେ ଆଣବିକ ଶକ୍ତି ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛି। ଏଥିସହିତ ପ୍ରତିରକ୍ଷା ମନ୍ତ୍ରୀ ବିଶାଖାପାଟଣାରେ ଯୁଦ୍ଧଜାହାଜ ତାରାଗିରିକୁ ନୌସେନାରେ ସାମିଲ କରାଇଛନ୍ତି। ତାରାଗିରିର ସାମିଲ ଏଭଳି ସମୟରେ ହୋଇଛି, ଯେତେବେଳେ କି ଭାରତର ପୂର୍ବ ଉପକୂଳର ରଣନୈତିକ ଏବଂ ସାମୁଦ୍ରିକ ଗୁରୁତ୍ୱ କ୍ରମାଗତ ଭାବେ ବଢ଼ିଚାଲିଛି। ତାରାଗିରିର ଉପସ୍ଥିତି ନୌସେନାର ଆକ୍ରମଣ ପ୍ରସ୍ତୁତି ଏବଂ ସାମର୍ଥ୍ୟ ବୃଦ୍ଧି ଉପରେ ଫୋକସ୍ରେ ରଖି କରାଯାଇଛି। ୬,୬୭୦ ଟନ୍ ଓଜନର ଏହି ଯୁଦ୍ଧଜାହାଜକୁ ମାଜାଗନ୍ ଡକ୍ ଶିପ୍ବିଲ୍ଡର୍ସ ଲିଃ ନିର୍ମାଣ କରିଛି।






More Stories
ବି୧ ପୋଲ ଧ୍ବଂସ କଲା ଆମେରିକା….
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..