ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସୁପ୍ରିମ୍କୋର୍ଟ ସମ୍ବିଧାନର ଧାରା ୩୭୦ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀର ଓ ଲଦାଖରେ ପରିଣତ କରିବା ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ପିଟିସନ୍ ଉପରେ ରାୟ ଶୁଣାଇବେ। ୧୬ ଦିନର ଶୁଣାଣି ପରେ ସୁପ୍ରିମ୍କୋର୍ଟ ଚଳିତ ବର୍ଷ ସେପ୍ଟେମ୍ବର ୫ରେ ନିଜର ରାୟ ସଂରକ୍ଷିତ ରଖିଥିଲେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠରେ କୋର୍ଟର ଅନ୍ୟ ୪ ଜଣ ବରିଷ୍ଠ ବିଚାରପତି ଜଷ୍ଟିସ ଏସ୍କେ କୌଲ, ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ବିଆର୍ ଗୱାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ରହିଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାର ଯୁକ୍ତି ରଖିଥିଲେ ଯେ ରାଷ୍ଟ୍ରପତିଙ୍କ ଘୋଷଣାପତ୍ର ଯେଭଳି ଭାବେ ଜାରି କରାଯାଇଛି ତାହା ସମ୍ବିଧାନ ପ୍ରତି ପ୍ରତାରଣା ବୋଲି କରାଯାଉଥିବା ଯୁକ୍ତି ସମ୍ପୂର୍ଣ୍ଣ ଭୁଲ୍। ଧାର୍ଯ୍ୟ ପ୍ରକ୍ରିୟାରୁ କୌଣସି ବିଚ୍ୟୁତି ହୋଇ ନ ଥିଲା। ତତ୍କାଳୀନ ଜମ୍ମୁ-କାଶ୍ମୀର ରାଜ୍ୟ ଭାରତ ସହ ମିଶିବା ପରେ ଏହାର ସାର୍ବଭୌମତ୍ବ ମଧ୍ୟ ଭାରତ ସହ ମିଶିଯାଇଥିଲା। ଆବେଦନକାରୀମାନେ ସ୍ବୟଂଶାସନକୁ ଆଭ୍ୟନ୍ତରୀଣ ସାର୍ବଭୌମତ୍ୱକୁ କହି ବିଭ୍ରାନ୍ତ କରୁଛନ୍ତି ବୋଲି କେନ୍ଦ୍ର ସରକାର ଯୁକ୍ତି ରଖିଥିଲେ। ଅନ୍ୟପକ୍ଷରେ ଦେଶରେ ଦୁଇଟି ସମ୍ବିଧାନ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ। ଭାରତୀୟ ସମ୍ବିଧାନ ପ୍ରସ୍ତୁତି ପାଇଁ ଗଠିତ ସମ୍ବିଧାନ ସଭା ପରି ଜମ୍ମୁ-କାଶ୍ମୀର ସମ୍ବିଧାନ ସଭା ଏକ ପୂର୍ଣ୍ଣାଙ୍ଗ ସମ୍ବିଧାନ ସଭା ନ ଥିଲା। କାରଣ ସେତେବେଳକୁ ସାର୍ବଭୌମତ୍ୱର ମିଶ୍ରଣ ହୋଇସାରିଥିଲା। ଏଥିରୁ ଜଣାପଡ଼େ ଯେ ଧାରା ୩୭୦(୩)ରେ ଥିବା ‘ସମ୍ବିଧାନ ସଭା’ ଶବ୍ଦକୁ କେବଳ ‘ବିଧାନ ସଭା’ ଭାବେ ପଢ଼ାଯାଇପାରିବ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….