Report Card Odisha

| Daily Odia News

ଦିଲ୍ଲୀରେ କୃତ୍ରିମ ବର୍ଷା ପ୍ରକ୍ରିୟା ଆରମ୍ଭ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୀପାବଳି ପରେ ଦିଲ୍ଲୀ ବାୟୁମଣ୍ଡଳରେ ପ୍ରଦୂଷଣ ସ୍ଥିତି ଉଦ୍‌ବେଗଜନକ ହୋଇପଡିଛି। ଏହି ପରିପ୍ରେକ୍ଷୀରେ ପ୍ରଦୂଷଣ ସ୍ଥିତି ସୁଧାରିବାକୁ ଦିଲ୍ଲୀ ସରକାରଙ୍କ ତରଫରୁ ମଙ୍ଗଳବାର କୃତ୍ରିମ ବର୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି। ଅପରାହ୍ଣ ୨ଟାରେ ହେଲିକପ୍ଟରରୁ କୃତ୍ରିମ ବର୍ଷା ପାଇଁ ରାସାୟନିକ ଦ୍ରବ୍ୟ ସିଞ୍ଚନ (କ୍ଲାଉଡ୍‌ ସିଡିଙ୍ଗ୍‌) କରାଯାଇଥିଲା। ଏହି ପ୍ରକ୍ରିୟା ଅନୁଯାୟୀ ସିଲଭର ଆଇଓଡାଇଡ୍‌ ନାନୋପାର୍ଟିକଲ୍‌ସ, ଆୟୋଡିନଯୁକ୍ତ ଲୁଣ ଏବଂ ଶୁଖିଲା ବରଫ ଗୁଣ୍ଡକୁ ମିଶ୍ରଣ କରାଯାଇ ବାୟୁମଣ୍ଡଳରେ ସିଞ୍ଚନ କରାଯାଇଥାଏ। ଏହାଦ୍ବାରା କୃତ୍ରିମ ବାଦଲ ସୃଷ୍ଟି ହେବାସହ ପ୍ରାୟ ଚାରି ପାଞ୍ଚ ଘଣ୍ଟା ବ୍ୟବଧାନରେ ବର୍ଷା ହୋଇଥାଏ। ତେବେ ମଙ୍ଗଳବାର ଦିଲ୍ଲୀ ସହରର ଆଦ୍ରତା କମ୍‌ ଥିବାରୁ ଏହି ପ୍ରକ୍ରିୟା ଏତେମାତ୍ରାରେ ସଫଳ ହୋଇନଥିବା ଜଣାପଡିଛି। ଦିଲ୍ଲୀରେ ପାଞ୍ଚଥର କୃତ୍ରିମ ବର୍ଷା ପାଇଁ ଗତ ସେପ୍ଟେମ୍ବରରେ କାନପୁର ଆଇଆଇଟି ସହ ଦିଲ୍ଲୀ ସରକାରଙ୍କ ଏକ ରାଜାନାମା ସ୍ବାକ୍ଷରିତ ହୋଇଥିଲା। ଏଥିପାଇଁ ୩.୨୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅକ୍ଟୋବର ୧ରୁ ନଭେମ୍ବର ୩୦ ମଧ୍ୟରେ ଏହାକୁ ପରୀକ୍ଷଣ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସୂଚନାଯୋଗ୍ୟ ବିଗତ କିଛି ବର୍ଷ ଧରି ଦିଲ୍ଲୀ ଓ ଏନସିଆରରେ ପ୍ରଦୂଷଣ ମାତ୍ରା ବଢିଚାଲିଛି।ଏହି ପରିପ୍ରେକ୍ଷୀରେ ଚଳିତ ଦୀପାବଳିରେ ପାରମ୍ପରିକ ବାଣ ପରିବର୍ତ୍ତେ ସବୁଜ ବାଣ ବ୍ୟବହାର କରିବାକୁ ସୁପ୍ରିମକୋର୍ଟ କଡା ନିର୍ଦେଶ ଦେଇଥିଲେ। ଏହାସତ୍ତ୍ବେ ଦୀପାବଳି ପରଦିନ ସହରର ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଦୂଷିତ ହୋଇଥିଲା। ଦିଲ୍ଲୀର ହାରାହାରି ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୩୫୦ ଥିବାବେଳେ କେତେକ ସ୍ଥାନରେ ଏହା ୪୦୦ ଅତିକ୍ରମ କରିଥିଲା। ଦୀପାବଳି ପରଦିନ ପ୍ରଦୂଷଣମାତ୍ରା ୨୧୨ ପ୍ରତିଶତ ବୃଦ୍ଧି ପାଇଥିବାରୁ ଦିଲ୍ଲୀ ବିଶ୍ବର ସବୁଠାରୁ ପ୍ରଦୂଷିତ ସହର ଭାବେ ମାନ୍ୟତା ମଧ୍ୟ ଲାଭ କରିଥିଲା।

Breaking News