ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜି ଉପରାଜ୍ୟପାଳ ଭି.କେ.ସାକ୍ସେନାଙ୍କୁ ଭେଟିବେ। ଅପରାହ୍ଣ ୪ଟା ୩୦ରେ ଭେଟିବା ପାଇଁ କେଜ୍ରିଓ୍ବାଲ ଉପରାଜ୍ୟପାଳଙ୍କ ଅନୁମତି ଲୋଡିଛନ୍ତି। ସୂଚନାଯୋଗ୍ୟ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ତରଫରୁ ଜାମିନ ପାଇବା ପରେ କେଜ୍ରିଓ୍ବାଲ ଚଳିତମାସ ୧୩ରେ ତିହାର ଜେଲରୁ ମୁକୁଳିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ସର୍ତ୍ତ ଅନୁଯାୟୀ ଜାମିନରେ ଥିବାବେଳେ କେଜରିୱାଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିମ୍ବା ସଚିବାଳୟ ଯାଇପାରିବେନି। ଏଥିସହିତ ଉପରାଜ୍ୟପାଳଙ୍କ ବିନା ଅନୁମତିରେ କେଜ୍ରିଓ୍ବାଲ କୌଣସି ସରକାରୀ ଫାଇଲରେ ଦସ୍ତଖତ ମଧ୍ୟ କରିପାରିବେନି ବୋଲି କୁହାଯାଇଛି। ଏହି ପରିପ୍ରେକ୍ଷୀରେ ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କେଜ୍ରିଓ୍ବାଲ ରବିବାର ଘୋଷଣା କରିଥିଲେ। ତେଣୁ ଆଜି ଉପରାଜ୍ୟପାଳଙ୍କୁ ଭେଟି କେଜ୍ରିଓ୍ବାଲ ନିଜର ଇସ୍ତଫା ପତ୍ର ଦାଖଲ କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସୁପ୍ରିମକୋର୍ଟରୁ ନ୍ୟାୟ ମିଳିଥିଲେ ସୁଦ୍ଧା ଦିଲ୍ଲୀବାସୀ ଯେପର୍ଯ୍ୟନ୍ତ ତାଙ୍କୁ ନିର୍ଦୋଷ ପ୍ରମାଣପତ୍ର ଦେଇନାହାନ୍ତି, ସେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନାହିଁ ବୋଲି କେଜରିୱାଲ ସ୍ପଷ୍ଟ କରିଛନ୍ତି। କେଜରିୱାଲ ଇସ୍ତଫା ଦେଲେ ଆପ୍ ମନ୍ତ୍ରୀ ଅତିଶୀ, କୈଳାସ ଗେହଲଟ୍, ସୌରଭ ଭରଦ୍ବାଜ କିମ୍ବା କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତାଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..