ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍, ୨୦୨୬ର ଉଦ୍ଘାଟନ ଦିବସରେ ଯୋଗ ଦେଇଥିବା ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର କ୍ଷମା ମାଗିଛନ୍ତି। ଏତେ ସଂଖ୍ୟାରେ ଲୋକଙ୍କ ଆଗମନ ଅସାଧାରଣ ଥିଲା ବୋଲି ମନ୍ତ୍ରୀ କହିବା ସହ ଆଗାମୀ ଦିନରେ ସମିଟ୍ ସୁରୁଖୁରୁରେ ଚାଲିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବିଶ୍ୱର ସର୍ବବୃହତ୍ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସମିଟ୍ ସୋମବାର ଉଦ୍ଘାଟନ ହୋଇଥିବାବେଳେ ଲୋକମାନଙ୍କ ପ୍ରବଳ ଭିଡ଼ ସାଙ୍ଗକୁ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ଅସ୍ପଷ୍ଟ ନିର୍ଦ୍ଦେଶାବଳୀ ଯୋଗୁ ସମସ୍ୟା ସୃଷ୍ଟି ହୋଇଥିଲା। ମୋବାଇଲ୍ ଡାଟା ସଂଯୋଗ ମଧ୍ୟ ସମସ୍ୟା ସୃଷ୍ଟି କରିଥିଲା। ଅତ୍ୟଧିକ ଗହଳିକୁ ନେଇ ଆୟୋଜକ ସମାଲୋଚିତ ହୋଇଛନ୍ତି। ଅଶ୍ୱିନୀ କହିଛନ୍ତି, ସୋମବାର ସମିଟ୍ରେ ୭୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା। ଏହା ସର୍ବବୃହତ୍ ଏଆଇ ସମାବେଶ ଥିବାରୁ ଲୋକଙ୍କ ମଧ୍ୟରେ ଅତ୍ୟଧିକ ଆଗ୍ରହ ସୃଷ୍ଟି ହୋଇଥିଲା। ସୋମବାରେ ଯଦି କେହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି, ସେଥିପାଇଁ କ୍ଷମା ମାଗୁଛି ବୋଲି ସମିଟ୍ ସ୍ଥଳ ଭାରତ ମଣ୍ଡପମ୍ଠାରେ ଏକ ଖବରଦାତା ସମ୍ମିଳନୀରେ ଅଶ୍ୱିନୀ କହିଛନ୍ତି। ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ଏବେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ସମସ୍ୟା ସମ୍ପର୍କରେ ଖବର କଲେ ଆୟେଜକମାନେ ଏହାର ସମାଧାନ କରିବା ସହ କାର୍ଯ୍ୟକ୍ରମ ଯେପରି ସୁରୁଖୁରୁରେ ଚାଲିବା ତାହା ସୁନିଶ୍ଚିତ କରାଇବେ ବୋଲି ମନ୍ତ୍ରୀ କହିଛନ୍ତି।ପ୍ରଥମ ଦିନରେ ଷ୍ଟାର୍ଟଅପ୍ଗୁଡ଼ିକର ପ୍ରତିଷ୍ଠାତା, ବୈଶ୍ୱିକ ପ୍ରଯୁକ୍ତିବିଦ୍ୟା କମ୍ପାନୀର ପ୍ରତିନିଧି ଏବଂ ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କ ସମେତ ଅନେକ ଲକ୍ଷ ଲୋକଙ୍କ ସମାଗମ ହେବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଫଳରେ ଲୋକଙ୍କ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିଲା, ସୁରକ୍ଷା ଯାଞ୍ଚରେ ସମସ୍ୟା ହେଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ କେତେକ ପ୍ରଦର୍ଶନକାରୀ ଷ୍ଟଲ୍କୁ ଅସ୍ଥାୟୀ ଭାବେ ହଟାଇବାକୁ ପଡ଼ିଲା। ନିଓ ସାପିଏନ୍ର ସହପ୍ରତିଷ୍ଠାତା ତଥା ସିଇଓ ଧନଞ୍ଜୟ ଯାଦବ କହିଛନ୍ତି, ସେ ତାଙ୍କ ଷ୍ଟାର୍ଟଅପ୍ର ଏଆଇ ଓ୍ବେରେବଲ୍ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହୋଇ ଆସିଥିଲେ। ତେବେ ପ୍ରଧାନମନ୍ତ୍ରୀ ସମିଟ୍ ଉଦ୍ଘାଟନ କରିବା ପାଇଁ ସୁରକ୍ଷା ଯାଞ୍ଚ୍ ପୂର୍ବରୁ ତାଙ୍କ ଷ୍ଟଲ୍କୁ ହଠାତ୍ ଖାଲି କରିବାକୁ କୁହାଗଲା। ସୁରକ୍ଷା ଯାଞ୍ଚ ବେଳେ ଷ୍ଟଲ୍ରେ ଥିବା ପିନ୍ଧିବାଯୋଗ୍ୟ ଏଆଇ ସାମଗ୍ରୀ ଚୋରି ହୋଇଯାଇଥିବା ଯାଦବ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଆମେ ବିମାନ ଭଡ଼ା, ଲଜିଷ୍ଟିକ୍ସ ଆଦି ପୈଠ କରିବା ସହ ବୁଥ୍ ପାଇଁ ମଧ୍ୟ ପୈଠ କରିଥିଲୁ। ଉଚ୍ଚ ସୁରକ୍ଷା ଜୋନ୍ ମଧ୍ୟରେ ଆମ ସାମଗ୍ରୀ ହଜିଗଲା, ଯାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ ଲେଖିଛନ୍ତି।ସେହିପରି ରେସ୍କିଲ୍ର ପ୍ରତିଷ୍ଠାତ ପୁନିତ୍ ଜୈନ ଅନୁରୂପ ଅଭିଯୋଗ କରିବା ସହ ସ୍ପଷ୍ଟ ଯୋଗାଯୋଗ ସୁବିଧା ନ ଥିବାରୁ ପ୍ରଦର୍ଶନକାରୀ, ପ୍ରତିଷ୍ଠାତା ଏବଂ ପ୍ରତିନିଧିମାନଙ୍କୁ ହଲ୍ ବାହାରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଲା। ଲମ୍ବା ଧାଡ଼ି ସାଙ୍ଗକୁ ପ୍ରଦର୍ଶନକାରୀମାନଙ୍କୁ ଷ୍ଟଲ୍ ଭିତରେ ଏକପ୍ରକାର ବନ୍ଦହୋଇ ରହିବାକୁ ପଡ଼ିଲା ବୋଲି ଉଦ୍ୟୋଗୀ ପ୍ରିୟାଂଶୁ ରତ୍ନାକର କହିଛନ୍ତି। ଓ୍ବାଇଫାଇ ଏବଂ ମୋବାଇଲ୍ ନେଟ୍ଓ୍ବର୍କ ଠିକ୍ ଭାବେ ଆସୁ ନ ଥିବାବେଳେ ବାରମ୍ବାର ପଞ୍ଜୀକରଣଜନିତ ତ୍ରୁଟି ଦେଖାଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଲମ୍ବା ଧାଡ଼ିକୁ ଏଡ଼ାଇ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଆଗକୁ ଯିବାକୁ ଦିଆଯାଉଥିଲା। ପ୍ରବେଶ ପଥରେ ଖବରଦାତା ଓ ଅନ୍ୟମାନେ ମଧ୍ୟ ଭିଡ଼ର ସମ୍ମୁଖୀନ ହୋଇଥିବା ଏବଂ ଆସନ ସୀମିତ ଥିବାର ଅଭିଯୋଗ କରିଛନ୍ତି।






More Stories
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..
ବ୍ଲିଙ୍କିଟ୍ ବିକୁଛି ଭୟଙ୍କର ବଟନ୍ ଛୁରୀ……
୧୬ରେ ରାଜ୍ୟସଭା ନିର୍ବାଚନ…..