ରିପୋର୍ଟ କାର୍ଡ / ଭୁବନେଶ୍ୱର
ନୂଆପଡ଼ା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ୮୩ ହଜାର ୭୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ପରାଜିତ କରିଛନ୍ତି। ଭାଜପାର ଏହି ବିପୁଳ ବିଜୟ ପରେ ଦଳୀୟ ଶିବିରରେ ଏବଂ ନେତା ଓ କର୍ମୀଙ୍କ ମହଲରେ ଉତ୍ସାହ ଖେଳିଯାଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ମଧ୍ୟ ଭାଜପାର ବିଜୟ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ସଂଖ୍ୟାରେ ଭୋଟ୍ ପାଇ ଜୟଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଦୃଢ଼ ନେତୃତ୍ୱ ଉପରେ ଆସ୍ଥା ଓ ଭରସା କରି ନୂଆପଡ଼ାର ଭୋଟର ଜୟଙ୍କୁ ବିଜୟୀ କରାଇଛନ୍ତି। ସେଥିପାଇଁ ନିର୍ବାଚନମଣ୍ଡଳୀର ସମସ୍ତ ଭୋଟରଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ବିଜୟ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଭାଜପା ପାଇଁ ଏହା ଏକ ଐତିହାସିକ ଦିନ। ବିହାର ବିଧାନସଭା ନିର୍ବାଚନ ଏବଂ ନୂଆପଡ଼ା ଉପନିର୍ବାଚନରେ ଇତିହାସ ସୃଷ୍ଟି ହୋଇଛି। ନୂଆପଡ଼ାବାସୀ ପୂର୍ବରୁ ମିଥ୍ୟା ପ୍ରଚାର ଓ ପ୍ରତିଶ୍ରୁତି ବହୁଥର ଦେଖିଛନ୍ତି। ସେଥିଲାଗି ଏଥର ଆଉ ମିଛ ପ୍ରଚାର ଓ ପ୍ରତିଶ୍ରୁତିକୁ ସେମାନେ ଭରସା ନ କରି ଭାଜପା ପ୍ରାର୍ଥୀଙ୍କୁ ବିପୁଳ ଭୋଟ୍ରେ ବିଜୟୀ କରାଇଲେ। ବଡ଼ ଭୋଟ୍ ବ୍ୟବଧାନ ହିଁ ସବୁକିଛି ସ୍ପଷ୍ଟ କରିଛି। ନୂଆପଡ଼ାର ଏତେବଡ଼ ବିଜୟ ଲାଗି ୨ଟି ମୁଖ୍ୟ ଏଜେଣ୍ଡା ଥିଲା। ପ୍ରଥମେ ଭାଜପା ପକ୍ଷରୁ ଗତ ସାଧାରଣ ନିର୍ବାଚନ ସମୟରେ ୨୧ଟି ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଇଥିଲା। ସେଥିରୁ ବର୍ଷକ ମଧ୍ୟରେ ୧୧ଟି ପ୍ରତିଶ୍ରୁତି ପୂରଣ ହୋଇସାରିଛି। ତେଣୁ ବିକାଶର ଏଜେଣ୍ଡାକୁ ନୂଆପଡ଼ାବାସୀ ଭରସା କରିଛନ୍ତି। ଦ୍ୱିତୀୟତଃ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ବିଜେଡିରେ ଥିବା ସମୟରେ ସେ ଚାହୁଁଥିବା ସତ୍ତ୍ୱେ ଅନେକ କିଛି ବିକାଶ କାର୍ଯ୍ୟ କରିପାରି ନ ଥିଲେ। ତାଙ୍କ ପରିବାର ଏହି ଉପନିର୍ବାଚନରେ ଭାଜପାରେ ଯୋଗଦେବା ପରେ ବିଜେଡି କୌଣସି ନିର୍ବାଚନୀ ପ୍ରସଙ୍ଗ ନ ପାଇ ସେମାନଙ୍କୁ ବେଇମାନ କହିଲା। ଦୀର୍ଘବର୍ଷ ଢୋଲକିଆଙ୍କ ପରିବାର ବିଜେଡିରେ କାମ କରିଥିବା ସତ୍ତ୍ୱେ ବେଇମାନ ବୋଲି କହିବା ବିଷୟକୁ ନୂଆପଡ଼ାବାସୀ ପ୍ରତ୍ୟାଖ୍ୟାନ କଲେ। ଭୋଟ୍ ଫଳାଫଳରୁ ଦେଖାଇ ଦେଲେ ବାସ୍ତବରେ କେଉଁମାନେ ବେଇମାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।






More Stories
ସିରିଆ ଉପରେ ଆମେରିକାର ଆକ୍ରମଣ:ଆତଙ୍କବାଦୀଙ୍କ ମୃତ୍ୟୁ……
ଏକାଠି ଚା ପିଇଲେ ଶାସକ-ବିରୋଧୀ…..
ବିଜୟଙ୍କୁ ଭେଟିଲେ ମୋକିମ୍…..