ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିର ଭିକେ ପାଣ୍ଡିଆନ ଓ ପୂର୍ବତନ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ)ଙ୍କୁ ରାଜ୍ୟ ସରକାର ହଟାଇ ଦେଇଛନ୍ତି । ଏହାସହିତ ସରକାରଙ୍କ କଡ଼ା ଆଭିମୁଖ୍ୟ ଦେଖି ଲୋକସେବା ଭବନର ସୁରକ୍ଷା ଅଫିସର ଡେପୁଟି କମାଣ୍ଡାଣ୍ଟ ସୁଜିତ୍ କୁମାର ଦଳେଇ ଅଚାନକ ଛୁଟିରେ ପଳାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ପ୍ରକାଶିତ “ନବୀନଙ୍କଠୁ ବେଶୀ ସୁରକ୍ଷାକର୍ମୀ ପାଇଛନ୍ତି ଅସିତ୍ ତ୍ରିପାଠୀ, ପାଣ୍ଡିଆନ ବି ରଖିଛନ୍ତି ଦୁଇ ପିଏସଓ” ଶୀର୍ଷକ ଖବରକୁ ନେଇ ମୋହନ ମାଝୀ ସରକାର ଆକ୍ସନମୋଡକୁ ଆସିଛନ୍ତି । ଅସିତ୍ ତ୍ରିପାଠୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୩ଜଣ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ୨ଜଣ ଓ ପାଣ୍ଡିଆନଙ୍କ ସୁରକ୍ଷାରେ ଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କୁ ତତ୍କାଳ ପ୍ରଭାବରୁ ପ୍ରତ୍ୟାହାର କରିନିଆଯାଇଛି । ଅସିତ୍ ଓ ପାଣ୍ଡିଆନଙ୍କଠୁ ବାକି ଥିବା ଜଣେ ଲେଖାଏଁ ସୁରକ୍ଷାକର୍ମୀ ୨-୩ଦିନ ମଧ୍ୟରେ କାଢ଼ି ଅଣାଯିବ ବୋଲି ଜଣାପଡ଼ିଛି । ଗତ ଅଗଷ୍ଟ ୧୭ତାରିଖରୁ ପଶ୍ଚିମଓଡ଼ିଶ ବିକାଶ ପରିଷଦର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଥିବା ଅସିତ୍ଙ୍କ ସୁରକ୍ଷା ଦାୟିତ୍ୱରେ ୩ଜଣ ଯବାନ ମୁତୟନ ହୋଇଥିଲେ । କିନ୍ତୁ ସରକାରୀ ପଦପଦବୀରେ ନଥାଇ ମଧ୍ୟ ଅସିତଙ୍କୁ କାହିଁକି ଏଭଳି ସୁରକ୍ଷା ଦିଆଯାଉଛି ତାକୁ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶକ ପାଇଥିଲା। ଏହି ଖବର ପରେ ଅସିତଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କମିଶନରେଟ ପୋଲିସର ଯବାନ ଦୀପ ପ୍ରଧାନ(ସିପାହୀ-୫୪୦) ଓ ଜେ.ନାୟକ(ସିପାହୀ-୫୪୫)ଙ୍କୁ ଶୁକ୍ରବାର ପ୍ରତ୍ୟାହାର କରି ଅଣାଯାଇଛି । ଅସିତଙ୍କ ପିଏସଓ ଥିବା ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ(ଏସଏସବି)ର ଯବାନ ଚନ୍ଦନ କୁମାର ପୁହାଣଙ୍କୁ ମଧ୍ୟ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି । ଶ୍ରୀ ତ୍ରିପାଠୀ ଏବେ କୌଣସି ସରକାରୀ ପଦପଦବୀରେ ନଥିଲେ ମଧ୍ୟ ସରକାରୀ ବଙ୍ଗଳାରେ ରହୁଛନ୍ତି ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……