Report Card Odisha

| Daily Odia News

ଆଜିଠାରୁ ବଜେଟ ଅଧିବେଶନ,୩ ଥାକିଆ ସୁରକ୍ଷା ବ୍ୟବସ୍ଥା…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ୍ ଅଧିବେଶନ। ଗୃହ କିଭଳି ସୁରୁଖୁରୁରେ ଚାଲିବ ତାହାକୁ ଦୃ‌ଷ୍ଟିରେ ରଖି ସୋମବାର ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଗୃହର କାର୍ଯ୍ୟବିଧି ପରିଚାଳନା ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା । ବିଧାୟକଙ୍କ ଜରିଆରେ ଦର୍ଶକଙ୍କୁ ଦର୍ଶକ ଗ୍ୟାଲେରୀରେ ବସିବାର ସୁଯୋଗ ମିଳିବ। ଗଣମାଧ୍ୟମ ପ୍ରତିନିଧି ପ୍ରେସ୍ ଗ୍ୟାଲେରୀରେ ଉପସ୍ଥିତ ରହିପାରିବେ। ସ୍ବାସ୍ଥ୍ୟଗତ କାରଣରୁ ଯେଉଁ ସଦସ୍ୟ ଗୃହରେ ଉପସ୍ଥିତ ରହି ନ ପାରିବେ ସେମାନେ ଆଭାସି ଜରିଆରେ ଗୃହ କାର୍ଯ୍ୟରେ ଯୋଗଦେଇ ପାରିବେ। ବିଧାନସଭା ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଧାନସଭା ଏବଂ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣୀ କରାଯିବ। ଏଥିପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଉପାୟୁକ୍ତ ପ୍ରତୀକ ସିଂଙ୍କ ନେତୃତ୍ୱରେ ୧୦ ଜଣ ଅତିରିକ୍ତ ଉପାୟୁକ୍ତ, ୧୧ ଜଣ ଏସିପି, ୧୩ ଜଣ ଇନ୍ସପେକ୍ଟର, ୧୦୦ ସବ ଇନ୍ସପେକ୍ଟର, ୨୦୦ କନଷ୍ଟେବଳ ନିୟୋଜିତ ହେବେ। ସେହିପରି ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ବାଡ୍‌, ଅଗ୍ନିଶମ ବିଭାଗ ଆଦି ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ ବୋଲି ଡିଜିପି ଶ୍ରୀ ବଂଶଲ ସୂଚନା ଦେଇଛନ୍ତି। ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ରାତିତମା ଜଗି ରହିବେ। ବିଧାନସଭା ଛାତ ଉପରେ ମଧ୍ୟ ପୁଲିସ ରହିବେ। ପ୍ରବେଶ ପଥରେ ଦୁଇଟି ଚେକପୋଷ୍ଟ କରାଯାଇଛି। ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ ପାଇଁ ୫ଟି ସ୍ଥାନରେ ୫ଟି ଅସ୍ଥାୟୀ କଣ୍ଟ୍ରୋଲ ରୁମ ଖୋଲିଛି। ଯାହାକୁ ପ୍ରତି ମିନିଟରେ ତଦାରଖ କରିବେ ଉପାୟୁକ୍ତ। ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଲୋୟର ପିଏମଜିକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଗାଡ଼ି ଚଳାଚଳ ଉପରେ କଟକଣା ରହିଛି। ସେହିପରି ବିକ୍ଷୋଭ, ଧାରଣା ଓ ଅନଶନ କରୁଥିବା ସଂଗଠନଗୁଡ଼ିକ ଉପରେ ଲୋୟର ପିଏମ୍‌ଜିରେ ଲାଗିଥିବା ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି। ମାଷ୍ଟରକ୍ୟାଣ୍ଟିନ-ପିଏମ୍‌ଜି ରାସ୍ତାକୁ ବନ୍ଦ କରାଯାଇଛି। ରେଳ ଷ୍ଟେସନ ନିକଟରେ ଥିବା ସମସ୍ତ ହୋଟେଲ, ଲଜରେ ରହୁଥିବା ଅତିଥିଙ୍କ ଯାଞ୍ଚ ଆରମ୍ଭ ହୋଇଛି। ବିଧାନସଭା ସମୟରେ ଅନେକ ବ୍ୟକ୍ତି ଆତ୍ମାହୁତି ଦେବାର ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ଗୁଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରାଯାଇଛି ବୋଲି ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

Breaking News