Report Card Odisha

| Daily Odia News

ପୂର୍ବତନ AG ଅଶୋକ ମହାନ୍ତି ଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ……

ରିପୋର୍ଟ କାର୍ଡ / କଟକ

ପୂର୍ବତନ ଆଡଭୋକେଟ ଜେନେରାଲ ଅଶୋକ ମହାନ୍ତିଙ୍କ ପାଇଁ ଅଡୁଆ ବଢ଼ିଲା। ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରୁ ତାଙ୍କୁ ବାଦ୍‌ ଦେବାଲାଗି ଅଶୋକ ମହାନ୍ତି ଯେଉଁ ଆବେଦନ କରିଥିଲେ,ତାକୁ ହାଇକୋର୍ଟ ଖାରଜ କରିଛନ୍ତି। ତେଣୁ ଅର୍ଥତତ୍ତ୍ୱ ମାମଲାରେ ସେ ବିଚାରର ସାମ୍ନା କରିବା ସ୍ପଷ୍ଟ ହୋଇଛି। ସୂଚନା ଥାଉକି, ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରୁ ତାଙ୍କୁ ବାଦ୍ ଦେବା ପାଇଁ ଭୁବନେଶ୍ୱର ସିବିଆଇ କୋର୍ଟରେ ଶ୍ରୀ ମହାନ୍ତି ଡିସ୍‌ଚାର୍ଜ ପିଟିସନ ଦାୟର କରିଥିଲେ। ସିବିଆଇ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ। ପରେ ସେ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତଦେଶ ଜାରି କରିଥିଲେ। ଗତ ୨୦୧୮ ମସିହାରୁ ସ୍ଥଗିତଦେଶ ଯୋଗୁ ସିବିଆଇ କୋର୍ଟରେ ମୂଳ ମାମଲାର ଶୁଣାଣି ହୋଇପାରୁ ନ ଥିଲା। ଏହି ପ୍ରସଙ୍ଗରେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟରେ ୨୦୧୮ ମସିହାରୁ ପଡିରହିଥିବା ଅଶୋକଙ୍କ ଆବେଦନର ତ୍ୱରିତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତ୍ୱରିତ ଶୁଣାଣି ହୋଇ ନ ପାରିଲେ ଅନ୍ତରୀଣ ସ୍ଥଗିତଦେଶ ହଟାଇବାକୁ ଗତ ଅଗଷ୍ଟ ମାସରେ ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ ସ୍ପଷ୍ଟ କରିଥିଲେ। ଏହାପରେ ଅଶୋକଙ୍କ ଆବେଦନକୁ ହାଇକୋର୍ଟ ଶୁଣାଣି କରି ଆଜି ଡିସ୍‌ଚାର୍ଜ ପିଟିସନ ଖାରଜ କରିଛନ୍ତି। ଏହାସହ ମୂଳ ମାମଲାର ନିୟମିତ ଶୁଣାଣି କରି ଏକ ବର୍ଷ ମଧ୍ୟରେ ଫଇସଲା କରିବାକୁ ହାଇକୋର୍ଟ ଭୁବନେଶ୍ୱର ସିବିଆଇ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Breaking News